ରାଜ୍ୟ ବିଦ୍ୟାଳୟ ସମୁହ ଯୋଗ ଓ ଚେସ୍ ପ୍ରତିଯୋଗିତା ଉଦ୍ଘାଟିତ
ତିହିଡ଼ି : ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୁହ ଯୋଗ ଓ ଚେସ୍ ପ୍ରତିଯୋଗିତା-୨୦୨୩ ଭଦ୍ରକ ଜିଲା ତିହିଡ଼ି ସ୍ଥିତ ସିଆରଏସ ହାଇସ୍କୁଲ ପରିସର ମଧ୍ୟରେ ରବିବାର ଉଦ୍ଘାଟିତ ହୋଇ ଯାଇଛି । ଏହି ପ୍ରତିଯୋଗିତାକୁ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଜିଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ରଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଶ୍ରୀ ରାଉତରାୟ ଯୋଗ ଦେଇ ଯୋଗଶିକ୍ଷା ମାଧ୍ୟମରେ ପିଲାମାନଙ୍କର ଶାରୀରିକ ବିକାଶ ହେଉଥିବା ବେଳେ ଚେସ୍ ଖେଳ ପିଲାମାନଙ୍କର ବୌଦ୍ଧିକ ଶକ୍ତିକୁ ବୃଦ୍ଧିକରିବାରେ ସହାୟକ ହୋଇଥାଏ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଶାରିରୀକ ସହକାରୀ ନିର୍ଦ୍ଦେଶକ କୈଳାସ ଚନ୍ଦ୍ର ପ୍ରଧାନ, ଜିଲାପରିଷଦ ସଭ୍ୟା ସୁଶ୍ରୀ ବିଦ୍ୟୁତଲତା ନାୟକ, ଅତିରିକ୍ତ ଜିଲା ଶିକ୍ଷାଧିକାରୀ ମାୟାଧର ସାହୁ, ପ୍ରଣୟ କୁମାର ନାୟକ, ବ୍ଲକ ଶିକ୍ଷାଧିକାରୀ ମଧୁସୂଦନ ସେଣ୍ଢ, ସିଆରଏସ ହାଇସ୍କୁଲ ପ୍ରଧାନ ଶିକ୍ଷକ ସମରେନ୍ଦ୍ର ନାଥ ମିଶ୍ର ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ହେଉଥିବା କ୍ରୀଡ଼ା ପ୍ରତିଯୋଗିତାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରତିନିଧି ବାପୁଜୀ ନାୟକ, ପ୍ରାଥମିକ ଶିକ୍ଷକ ସଂଘର ରାଜ୍ୟ ମହାସଚିବ ଚାରୁଲତା ମହାପାତ୍ର, ଓଷ୍ଟାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅକ୍ଷୟ କୁମାର ହେତା ଓ ଜିଲା ସମ୍ପାଦକ ପ୍ରଦୀପ ଦାସ, ମୟୁରଭଂଜ ଜିଲା ଶାରୀରିକ ଶିକ୍ଷା ନିରୀକ୍ଷକ ଭାଗିରଥି ମଲିକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲା ଅତିରିକ୍ତ ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଏପିଏସପିଏସ ହାଇସ୍କୁଲର ପ୍ରଧାନଶିକ୍ଷକ ଭକ୍ତବନ୍ଧୁ ପତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସଂଗୀତ ସାଧକ ବଙ୍କିମ ଚନ୍ଦ୍ର ନାୟକ ଓ ପଞ୍ଚାନନ ଦତ୍ତଙ୍କ ତତ୍ତ୍ୱାବଧନାରେ ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଏହି ପ୍ରତିଯୋଗିତାରେ ୨୮ ଜିଲାରୁ ୫୭୧ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିବା ଜଣାପଡ଼ିଛି । ବ୍ଲକ ଶିକ୍ଷାଧିକାରୀ ଚକ୍ରଧର ମଲ୍ଲିକ, ଅଧୀର କୁମାର ତରାଇ, କୈଳାସ ଚନ୍ଦ୍ର ଜେନା ପ୍ରମୁଖ ଯୋଗ ଦେଇଥିବା ବେଳେ ବିଭିନ୍ନ ଜିଲାର ପ୍ରଧାନ ଶିକ୍ଷକ, କ୍ରୀଡ଼ା ଶିକ୍ଷକ, କୋଚ୍ ଓ ମ୍ୟାନେଜର, ଗାଇଡମାନେ ଉପସ୍ଥିତ ଥିଲେ । ରାଜ୍ୟ ଓ ଜିଲା କ୍ରୀଡ଼ା ସଂଗଠନର ତତ୍ତ୍ୱାବଧାନରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ଏହି ପ୍ରତିଯୋଗିତା ୨୪ ତାରିଖରେ ଉଦ୍ଯାପନ ହେବ ବୋଲି ଜଣା ପଡ଼ିଛି । ସିଆରଏସ ହାଇସ୍କୁଲର ପରିଚାଳନା କମିଟି ସଭାପତି ସୁଧାଂଶୁ ମାହୁନ୍ତଙ୍କ ସମେତ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷାକର୍ମଚାରୀ ଓ ସିଆରସିସିମାନେ ପ୍ରତିଯେଗିତା ପରିଚାଳନାରେ ସହଯୋଗ କରୁଛନ୍ତି ।
