ଦାଦା ବଟି ମାଗି ଯୁବକ ଗିରଫ
କଟକ : ୫୦ ହଜାର ଟଙ୍କା ଦାଦା ବଟି ମାଗି, ଗାଳିଗୁଲଜ ଓ ଧମକ ଦେବା ଏବଂ ହୋର୍ଡିଂ ଚିରିବା ଅଭିଯୋଗରେ ଜଗତପୁର ଥାନା ପୋଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ସ୍ଥାନୀୟ ଗୁଜରପୁରର ସେକ୍ ସିଲୁ ଓରଫ ଖାନ୍(୩୫) । ପୋଲିସ ପ୍ରଦତ୍ତ ସୂଚନା ଅନୁଯାୟୀ, ଗତ ବୁଧବାର ରାତିରେ ଗୋପୀନାଥପୁର ଓ ଭୟରପୁରର କିଶୋର କୁମାର ସାହୁ ପୀରବଜାର ଛକରେ ଠିଆ ହୋଇଥିବା ବେଳେ ସିଲୁ ପହଂଚି ୫୦ ହଜାର ଟଙ୍କା ଦାଦା ବଟି ମାଗିଥିଲା । କିଶୋର ସମାଜସେବୀ ହିମାଂଶୁ ମହାନ୍ତିଙ୍କ ବ୍ୟବସାୟୀ ସହଯୋଗୀ ହୋଇଥିବାରୁ ଏବଂ ବଟି ଦେବାକୁ ମନା କରିଦେବାରୁ ଅଶ୍ଳୀଳ ଭାଷାରେ ସିଲୁ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ଏଥିସହିତ ନିକଟରେ ଲାଗିଥିବା ହିମାଂଶୁଙ୍କ ନବବର୍ଷର ଶୁଭେଚ୍ଛା ହୋର୍ଡିଂକୁ ଚିରିଥିଲା । କିଶୋର ଏନେଇ ଥାନାରେ ଅଭିଯୋଗ କରିଥିଲେ । ପୂର୍ବରୁ ସମାଜସେବୀ ହିମାଂଶୁ ମଧ୍ୟ ତାଙ୍କ ବ୍ୟାନର ଚିରା ନେଇ ଅଭିଯୋଗ କରିଥିଲେ । ତଦନ୍ତ ସମୟରେ ସିଲୁ ଜଣେ ପେସାଦାର ଅସାମାଜିକ ଓ ତା’ର ପତିଆରା ଜାହିର କରିବା ପାଇଁ ସେ ଅନେକ ସମୟରେ ବ୍ୟବସାୟୀ ଓ ବିଭିନ୍ନ କମ୍ପାନୀ ମାଲିକଙ୍କୁ ଧମକ ଚମକ ଦେଇ ଦାଦାବଟି ଆଦାୟ କରୁଥିବା ଜଣାପଡିଥିଲା । ସେ ଅନେକ ସମୟରେ ମଦ ପିଇ ବିଚ୍ ବଜାରରେ ଆତଙ୍କ ସୃଷ୍ଟି କରୁଥିଲା । ଆଜି ସକାଳେ ତାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସିଲୁ ବିରୋଧରେ ଜଗତପୁର ଥାନାରେ ପୂର୍ବରୁ ୨ଟି ମାମଲା ରହିଥିବା ବେଳେ ତା’ର ଅଧିକ ଅପରାଧିକ କାର୍ଯ୍ୟକଳାପର ଛାନଭିନ୍ ଜାରି ରହିଛି ।
