ଶୋକକୂଳ ପରିବେଶରେ ଶହୀଦଙ୍କୁ ଶ୍ରଦ୍ଧାଂଜଳି ଗାର୍ଡ ଅଫ୍ ଅନର ସହିତ ଶେଷ ବିଦାୟ ଶୋକସନ୍ତପ୍ତ ପରିବାର
ବାରିପଦା : ଆଜି ମକର ସଂକ୍ରାନିରେ ସାରା ସହର ଉତ୍ସବ ମୁଖର ଥିବା ବେଳେ, ସକାଳେ, ସକାଳେ ବାରିପଦାରେ ଜଣେ ଶହୀଦ ଯବାନଙ୍କର ଶବ ପହଂଚିଥିବା ବେଳେ ଶୋକାକୂଳ ପରିବେଶ ଖେଳିଯାଇଥିଲା ସ୍ଥାନୀୟ ଅଂଚଳରେ । ବାରିପଦାର ୨୧ନଂ ୱାର୍ଡ ନିବାସୀ ବିଏସଏଫର ସବ୍ ଇନ୍ସପେକ୍ଟର ଶଶାଙ୍କ ଶେଖର ନାଥ ଗତ ୧୧ ତାରିଖ ସନ୍ଧ୍ୟାରେ ଶ୍ରୀନଗରର ରାଜୋରୀ ରେଂଜର ପୁଂଜ ଠାରେ ପ୍ଲାଟୁନ କମାଣ୍ଡର ଦାୟିତ୍ୱରେ ଥିଲେ । ଡ୍ୟୁଟିରେ ଥିବା ସମୟରେ ହଠାତ ଶ୍ରୀ ନାଥଙ୍କ ମୃତ୍ୟୁ ହୋଇଥିଲା । ସନ୍ଧ୍ୟା ୭ଟାରେ ବାରିପଦାରେ ଥିବା ନିଜ ପରିବାର ସହିତ କଥା ହେବାର କିଛି ସମୟ ପରେ ପରେ ତାଙ୍କର ହୃଦଘାତ ପରଲୋକ ହୋଇଥିବାର ଜଣାଯାଇଛି । ତେବେ ଆଜି ସକାଳୁ ସକାଳୁ ତାଙ୍କର ମୃତ ଶରୀର ବାରିପଦା ୨୧ ନମ୍ବର ୱାର୍ଡ ସ୍ଥିତ ନିଜ ବାସ ଭବନ ନିକଟରେ ପହଂଚିବା ପରେ ଶେଷ ଦର୍ଶନ ପାଇଁ ଲୋକଙ୍କ ଗହଳି ଜମିଥିଲା । ଶହୀଦଙ୍କ ଲାଗି ତାଙ୍କ ପରିବାର ଶୋକ ସହିତ ଗର୍ବ ମଧ୍ୟ ଅନୁଭବ କରିଛନ୍ତି । ତାଙ୍କୁ ମର୍ଯ୍ୟାଦା ଜନକ ଗାର୍ଡ ଅଫ ଅନର୍ ପ୍ରଦାନ କରାଯିବା ସହିତ ସ୍ଥାନୀୟ ଦାରୋଗାଡାହି ଶ୍ମଶାନରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି । ଶହୀଦ ଶଶାଙ୍କ ନାଥ ନିଜର ୩୮ ବର୍ଷର ସେବା ମଧ୍ୟରେ ବହୁ ସାମରିକ ଅପରେସନରେ ଭାଗ ନେଇଥିବା ସହ ବିଏସଏଫର ଭିଜିଲାନ୍ସ ବିଭାଗରେ ମଧ୍ୟ ସେ ନିଜର ସେବା ପ୍ରଦାନ କରିଛନ୍ତି । ପୁରା ପରିବାର ସହିତ ତାଙ୍କ ଦୁଇ ପୁଅ ଶେଷକୃତ୍ୟରେ ଉପସ୍ଥିତ ଥିଲେ ।
