ଜବତ ଗଞ୍ଜେଇ ପୋଡି ନଷ୍ଟ ଅଭିଯାନ ଜାରି
ଗଞ୍ଜାମ : ପୋଲିସ ବିଭାଗ ଦ୍ୱାରା ଅନେକ ସମୟରେ ବହୁ ପରିମାଣର ଗଞ୍ଜେଇ ଜବତ ହୋଇଥାଏ । ଆଉ ଜବତ ଗଞ୍ଜେଇ ଗୁଡିକ ବିଭିନ୍ନ ଥାନା ଇଲାକାର ଅନେକ ସ୍ଥାନ ମାଡି ବସିଥାଏ । ତେବେ ସେହି ଜବତ ଗଂଜେଇ ଗୁଡିକୁ ପୋଡି ନଷ୍ଟ କରିବା ପାଇଁ ଗଞ୍ଜାମ ପୋଲିସ ବିଭାଗର କାର୍ଯ୍ୟ ଜାରି ରହିଛି । ଶେରଗଡ଼ ଥାନା ଅରଖପଦା ଚିମିନି ଭାଟିରେ ଆଜି ସୁଦ୍ଧା ଲକ୍ଷ ଲକ୍ଷ କେଜି ଗଂଜେଇ ପୋଡାଯାଇଛି ।
ଏ ହେଉଛି ଶେରଗଡ଼ ଥାନା ଅରଖପଦା ଗାଁ ର ଖୋଲ ପାହାଡ଼ ନିକଟରେ ଥିବା ଚିମିନି ଭାଟି । ଯେଉଁ ଚିମିନି ଭାଟିରେ ଗଲା ତିନି ମାସ ହେବ କ୍ରମାଗତ ଭାବେ ଗଞ୍ଜାମ, ବ୍ରହ୍ମପୁର ପୋଲିସ ଜିଲ୍ଲାର ୩୯ ଟି ଥାନା ସମେତ ପ୍ରାୟ ଦକ୍ଷିଣ ଓଡିଶାର ସମସ୍ତ ଜିଲ୍ଲାର ଥାନା ଗୁଡିକରେ ଜବତ ହେଉଥିବା ଗଞ୍ଜେଇ ଗୁଡିକୁ ଏଠି ପୋଡି ନଷ୍ଟ କରାଯାଏ । ତେବେ ଏଭଳି ପଦକ୍ଷେପ ଦକ୍ଷିଣ ଓଡିଶାରେ ପ୍ରଥମ ବୋଲି କୁହା ଯାଉଥିବା ବେଳେ ଏଭଳି ବେଆଇନ କାର୍ଯ୍ୟରୁ ନିବୃତ ରହିବା ପାଇଁ ନବନିଯୁକ୍ତ ଗଞ୍ଜାମ ଏସପି ଜଗନ ମୋହନ ମିନା ନିବେଦନ କରିଛନ୍ତି ।
ଅନ୍ୟପଟେ ଦକ୍ଷିଣାଚଂଳ ଆଇଜି ମଧ୍ୟ ଗଞ୍ଜାମ, ଗଜପତି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ଏହି ବେଆଇନ ଗଂଜେଇ ଚାଷ ହେଉଥିବା ହେତୁ ଏହି ଚାଷକୁ ମୂଳରୁ ମାରିବା ପାଇଁ ଉଦ୍ୟମ ଚାଲିଥିବା କହିଛନ୍ତି । ତଥାପି ଏହିଭଳି ବେଆଇନ କାର୍ଯ୍ୟରୁ ନିବୃତ ରହି ସାମାଜିକ ସ୍ରୋତରେ ସାମିଲ ହେବା ପାଇଁ ଦକ୍ଷିଣାଚଂଳ ଆଇଜି ମଧ୍ୟ ସମସ୍ତଙ୍କୁ ନିବେଦନ କରିଛନ୍ତି । ତେବେ ଏହି ଗଂଜେଇ ପୋଡା ଅଭିଯାନ ଗଲା ଅନେକ ମାସ ହେଲା ଚାଲୁ ରହିଥିବା ଜଣାପଡିଛି । ଗତକାଲି ୪୪ କ୍ୱିଂଟାଲ ଗଂଜେଇ ପୋଡି ନଷ୍ଟ କରାଯାଇଛି । ଇତିମଧ୍ୟରେ ୨୦ ଟନ ଗଂଜେଇ ନଷ୍ଟ କରାଗଲାଣି ।
