ଓ.ଟି.ଏମ୍ ସଂପର୍କରେ ସାମ୍ବାଦିକ ସମ୍ମିଳନୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଶ୍ରମିକମାନଙ୍କ ପ୍ରାପ୍ୟ ଦିଆଯାଉ
କଟକ : ୧୯୪୮ ମସିହାରେ ଓ.ଟି.ଏମ୍ ସ୍ଥାପିତ ହୋଇ ୧୯୫୨ ମସିହାରେ ଉତ୍ପାଦନ ଆରମ୍ଭ କରି ବିଜୁବାବୁ ଓଡ଼ିଶାକୁ ଏକ ଶିଳ୍ପ ସମୃଦ୍ଧ ରାଜ୍ୟରେ ପରିଣତ କରିବାକୁ ଯେଉଁ ଉଦ୍ୟମ କରିଥିଲେ ବିଜୁ ଜନତା ଦଳ ରାଜ୍ୟରେ କ୍ଷମତାସୀନ ହେବା ଦିନଠାରୁ ଅତ୍ୟନ୍ତ ଖାମଖିଆଲି ଓ ବେପରୁଆ ଭାବରେ ଓଡ଼ିଶାର ପରିଚୟ ଓ.ଟି.ଏମ୍ ଏବଂ ଏଥିରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ହଜାର ହଜାର ନିଯୁକ୍ତି ଓ ଆତ୍ମନିଯୁକ୍ତି ପ୍ରତି ଆଖିବୁଜି ଦେଇଛନ୍ତି ବୋଲି ସି.ପି.ଆଇ(ଏମ୍) ଓ ସିପିଆଇ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି । ବିଳମ୍ବିତ ନ୍ୟାୟ ପ୍ରକ୍ରିୟା ଯୋଗୁଁ ସୃଷ୍ଟି ହୋଇଥିବା ସମସ୍ୟା ସମାଧାନ ପାଇଁ ସରକାରଙ୍କ ହସ୍ତକ୍ଷେପ ଜରୁରୀ ଅଟେ । କାରଣ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଶ୍ରମିକମାନଙ୍କ ପ୍ରାପ୍ୟ ବଣ୍ଟନ କାର୍ଯ୍ୟ ଆରମ୍ଭ କରାଯିବା ଏବଂ ଶ୍ରମିକମାନଙ୍କ ଠାରୁ ଦସ୍ତଖତ ନିଆଯିବା ପରେ ଚୌଦ୍ୱାର ୭, ୮, ୧୦, ୧୧, ୧୨ ନମ୍ବର ୱାର୍ଡ଼ର ଜନଗଣ ନିଜର ଭବିଷ୍ୟତ ଜୀବନ ନିର୍ବାହ କରିବା ସଂପର୍କରେ ସନ୍ଦିହାନ ହୋଇ ତ୍ରାହି ତ୍ରାହି ଚିତ୍କାର କରୁଛନ୍ତି । ୨୦୦୧ ମସିହା ଓ.ଟି.ଏମ୍ ବନ୍ଦ ହେବା ଦିନଠାରୁ ଶ୍ରମିକମାନଙ୍କ ପ୍ରାପ୍ୟ ଦେଇ ସ୍ଥାୟୀ ସମାଧାନ କରିବା ପାଇଁ ତତ୍କାଳୀନ ଶାସକ ଦଳକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ରାଜନୈତିକ ଦଳ, ମିଳିତ ଏକକ ଅନିୟମିତ ଓ ନିୟମିତ ଆନ୍ଦୋଳନ ଚଳାଇ ରଖିଛନ୍ତି । ବିଶେଷ କରି ଗୁଜୁରାଟର ଆଇ.ବି.ଏଣ୍ଟରପ୍ରାଇଜେସ୍ କବାଡ଼ି ଦରରେ ଓ.ଟି.ଏମ୍ କୁ ବିକ୍ରି କରିବା ପାଇଁ ନିଷ୍ପତ୍ତି କୁ ବିରୋଧ କରି ଓ.ଟ.ଏମ୍ ବଂଚାଅ ସଂଗଠନ ମାଧ୍ୟମରେ ପ୍ରାୟ ସବୁ ଦଳ ଓ ସଂଗଠନର ଲୋକେ ଏହି ଆନ୍ଦୋଳନରେ ସାମିଲ ହୋଇ ଏହି ଆନ୍ଦୋଳନକୁ ଏକ ଦୀର୍ଘ ମିଆଦି ଓ ଐତିହାସିକ ଆନ୍ଦୋଳନରେ ପରିଣତ କରିଥିବା ସତ୍ତ୍ୱେ ରାଜ୍ୟ ସରକାର କୌଣସି କର୍ଣ୍ଣପାତ କରିନାହାଁନ୍ତି । ପରିଶେଷରେ କମ୍ପାନୀ ଆଇନ୍ ଅନୁଯାୟୀ କେସ୍ ନଂ. ୨୫/୨୦୦୧ ର ଶୁଣାଣି କରି ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା ପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଶ୍ରମିକମାନଙ୍କୁ ସେମାନଙ୍କର ବକେୟା ପାଉଣା ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରି ନକଲେ ଅଧିକ ଟଙ୍କା ଦେବାକୁ ପଡ଼ିବ ବୋଲି ମାନ୍ୟବର କୋର୍ଟଙ୍କ ତାଗିଦା ପରେ ୨୦୦୧ ମସିହାରେ ୭କୋଟି ଟଙ୍କା ଦେବାକୁ ଅସହାୟତା ପ୍ରକାଶ କରିଥିବା ରାଜ୍ୟ ସରକାର ୧୫୦କୋଟି ଟଙ୍କା ଦେଇ ନିଜ ସମ୍ପତ୍ତିକୁ ନିଜେ କିଣିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଅଟେ । ଯେଉଁ ଟଙ୍କା ବର୍ତ୍ତମାନ ଦିଆଯାଉଛି ତାହା ସେମାନଙ୍କର ପ୍ରାପ୍ୟ ଠାରୁ ବହୁତ କମ୍ ଏବଂ ହିସାବ ମଧ୍ୟ ଏକପାଖିଆ । ଏହି ବିଳମ୍ବିତ ନ୍ୟାୟ ପ୍ରକ୍ରିୟା ଯୋଗୁଁ ଏହି ପ୍ରତାରିତ ଶ୍ରମିକ ପରିବାରଗୁଡ଼ିକର ଜୀବନ ଜୀବିକାର ସୁରକ୍ଷା ସଂପର୍କରେ ବହୁତ ସନ୍ଦିହାନ ହୋଇ ଅତ୍ୟନ୍ତ ଚାପଗ୍ରସ୍ତ ଜୀବନ ଯାପନ କରୁଛନ୍ତି । ତେଣୁ ସରକାର ସେମାନଙ୍କୁ ସେମନଙ୍କର ବାସସ୍ଥାନ ସଂପର୍କରେ ଆଶ୍ୱାସନା ଦେବା ସହିତ ସେମାନଙ୍କ ପାଇଁ ସହରାଂଚଳ ସମ୍ମନ୍ୱିତ ବାସଗୃହ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ସହ ସରକାର ଅଧିଗ୍ରହଣ କରିଥିବା ଓ.ଟି.ଏମ୍ର ଜାଗାରେ ବ୍ୟବସାୟ ଇତ୍ୟାଦି କରି ଗୁଜୁରାଣ ମେଣ୍ଟାଉଥିବା ବ୍ୟବସାୟୀ ଓ ଉଠାଦୋକାନୀମାନଙ୍କୁ ଥଇଥାନ ପାଇଁ ଆବଶ୍ୟକୀୟ ନୀତିଗୁଡ଼ିକୁ କାର୍ଯ୍ୟକାରୀ କରିବାପାଇଁ ଅନୁରୋଧ କରାଯାଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସି.ପି.ଆଇ.(ଏମ୍)ର କଟକ ଜିଲ୍ଲା ସଂପାଦକ ବଦ୍ରୀନାରାୟଣ ଦାଶ, ସି.ପି.ଆଇ. ର କଟକ ଜିଲ୍ଲା ସଂପାଦକ ବିନୋଦ ବେହେରା, ସି.ପି.ଆଇ ର ରାଜ୍ୟ କମିଟି ସଦସ୍ୟ ତଥା ଓ.ଟି.ଏମ୍ ଶ୍ରମିକ ୟୁନିୟନର ଅନ୍ୟତମ ନେତା ଆଡ଼ଭୋକେଟ୍ ଅମରେନ୍ଦୁ ମହାନ୍ତି, ସି.ପି.ଆଇ. ଚୌଦ୍ୱାର ଶାଖା ସଂପାଦକ ବଳରାମ ନାୟକ, ସି.ପି.ଆଇ (ଏମ୍)ର ଚୌଦ୍ୱାର ଶାଖା ସଂପାଦକ ଜୟ ସିଂ, ଓ.ଟି.ଏମ୍ ଶ୍ରମିକ କେନ୍ଦ୍ରର ଅନ୍ୟତମ ନେତା ବିପିନ ବିହାରୀ ସାହୁ, ସି.ଆଇ.ଟି.ୟୁର କଟକ ଜିଲ୍ଲା ସଂପାଦକ ଅଭୟ ସ୍ୱାଇଁ, ସି.ପି.ଆଇ (ଏମ୍) ନେତା ପ୍ରତାପ ମହାପାତ୍ର, ଟାଙ୍ଗୀ-ଚୌଦ୍ୱାର ଆଂଚଳିକ କମିଟି ସଂପାଦକ ବିଷ୍ଣୁ ବେହେରା, ନିର୍ମାଣ ଶ୍ରମିକ ନେତା ଚନ୍ଦ୍ରକାନ୍ତ ବେହେରା ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।
