ପୂର୍ବତନ ସରପଞ୍ଚଙ୍କ ପରଲୋକ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଗୋବିନ୍ଦପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ନବକିଶୋର ଦାସଙ୍କର ଗୁରୁବାର ମଧ୍ୟାହ୍ନରେ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା । ସେ କିଛିଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । ସ୍ୱର୍ଗତ ଦାସ ଗୋବିନ୍ଦପୁର ପଞ୍ଚାୟତରେ ୧୯୯୭ ମସିହା ଠାରୁ ୨୦୦୨ ମସିହା ପର୍ଯ୍ୟନ୍ତ ସରପଞ୍ଚ ଭାବେ ନିର୍ବାଚିତ ହୋଇ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିବା ସହିତ ଲୋକମାନଙ୍କର ସେବା କରିଆସୁଥିଲେ । ସରପଞ୍ଚ ପରେ ମଧ୍ୟ ସେ ସେବାକୁ ନିଜର ବ୍ରତ ବୋଲି ଭାବି କର୍ତ୍ତବ୍ୟ କରିଆସୁଥିଲେ । ସେ ଜଣେ ଶାନ୍ତ, ସରଳ, ଅମାୟିକ ଓ ଧର୍ମପରାୟଣ ବ୍ୟକ୍ତି ଭାବେ ଲୋକମାନଙ୍କ ନିକଟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ତାଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସ୍ୱର୍ଗତ ଦାସଙ୍କ ମୃତ୍ୟୁ ଖବର ପାଇବା ପରେ ଗୋବିନ୍ଦପୁର ସରପଞ୍ଚ କ୍ଷୀରାବ୍ଧୀତନୟା ନାୟକ, ସମିତିସଭ୍ୟ କୈଳାସ ମାଝୀ, ପୂର୍ବତନ ସରପଞ୍ଚ ମାନସ ରଂଜନ ସାହୁ, ପୂର୍ବତନ ସମିତିସଭ୍ୟ ଓ ସମବାୟ ସମିତି ସଭାପତି ମାନସ ରଂଜନ ନାୟକ, ସମାଜସେବୀ ଉପେନ୍ଦ୍ର ବାରିକ, ବସନ୍ତ ସାହୁ, ବିଚିତ୍ରାନନ୍ଦ ବାରିକ, ପାର୍ଥସାରଥି ଦାସ, ସୁରେନ୍ଦ୍ର ବଳ, ସଦାନନ୍ଦ ବଳ, ଲକ୍ଷ୍ମୀଧର ବଳ, ଅରୁଣ କୁମାର ମହାନ୍ତି ପ୍ରମୁଖଙ୍କ ସମେତ ପଞ୍ଚାୟତର ବହୁ ବିଶିଷ୍ଟ ବ୍ୟକ୍ତି ପଇତିପୁର ସ୍ଥିତ ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ବଡ଼ପୁଅ ବ୍ରଜବନ୍ଧୁ ଦାସ ମୁଖାଗ୍ନି ଦେଇଥିବା ବେଳେ ଅନ୍ୟ ଆତ୍ମୀୟ ସ୍ୱଜନମାନେ ଉପସ୍ଥିତ ଥିଲେ ।
