କେନ୍ଦୁଝର ରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ମହକୁମାରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଚଳିତ ଜାନୁଆରୀ ୧୧ ତାରିଖ ବୁଧବାର ଅପରାହ୍ନରେ ଦରବାର ହଲ୍ଠାରେ ଜିଲ୍ଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଠାକରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଆଗାମୀ ସାଧାରଣତନ୍ତ୍ର ଦିବସକୁ ବିପୁଳ ଆନନ୍ଦ ଉଲ୍ଲାସ ଓ ଉତ୍ସାହ ଉଦ୍ଦୀପନାର ସହ ପାଳନ କରିବା ପାଇଁ ସମସ୍ତଙ୍କର ସକ୍ରିୟ ସହଯୋଗ କାମନା କରିଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉପନିର୍ଦ୍ଦେଶକ ସୂଚନା ଓ ଲୋକ ସଂପର୍କ କେନ୍ଦୁଝର ସଂଜୀବ ବାରିକ ଆଗାମୀ ସାଧାରଣତନ୍ତ୍ର ଦିବସ ପାଳନର ରୂପରେଖ ସଂପର୍କରେ ପ୍ରାରମ୍ଭିକ ସୂଚନା ଦେଇ କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା ଆରମ୍ଭ କରିଥିଲେ । ପ୍ରସ୍ତୁତି ବୈଠକର ନିଷ୍ପତି ଆନୁଯାୟୀ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ପ୍ରତ୍ୟୁଷରେ ରାମଧୂନ ପ୍ରଚାର, ସକାଳେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଭାତଫେରୀ, ସକାଳ ୭ ଘଟିକାରୁ ଘ ୭.୩୦ ମି ମଧ୍ୟରେ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଓ ବ୍ୟକ୍ତିଗତ କୋଠାବାଡିମାନଙ୍କରେ ଜାତୀୟପତାକା ଉତୋଳନ, ସକାଳ ୮ ଘଟିକା ସମୟରେ ମହାପୁରୁଷମାନଙ୍କର ପ୍ରତିମୂର୍ତିରେ ମାଲ୍ୟାର୍ପଣ, ସକାଳ ଘ ୮.୩୦ ମି. ସମୟରେ କେନ୍ଦୁଝର ଷ୍ଟାଡିୟମ୍ଠାରେ ଜିଲ୍ଲାସ୍ତରୀୟ ସମାରୋହରେ ଜାତୀୟ ପତାକା ଉତୋଳନ, ସମ୍ମିଳିତ ଆନୁଷ୍ଠାନିକ ପ୍ୟାରେଡ୍ ଏବଂ ମାର୍ଚ୍ଚ ପାଷ୍ଟ୍ ପରେ ପରେ ପ୍ରଜ୍ଞାପନ ମେଢ ପ୍ରଦର୍ଶନ, ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ, ତାଇକୋଣ୍ଡ ପ୍ରଦର୍ଶନର ଆୟୋଜନ କରାଯିବ । ଅନ୍ୟାନ୍ୟ କାର୍ଯ୍ୟକ୍ରମ ସହିତ ମଧ୍ୟାହ୍ନ ୧୨ ଘଟିକା ସମୟରେ କେନ୍ଦୁଝର ଷ୍ଟାଡିୟମ୍ଠାରେ ଜିଲ୍ଲାପାଳଙ୍କ ଏକାଦଶ ଏବଂ ନାଗରିକ ଏକାଦଶ ମଧ୍ୟରେ ପ୍ରଦର୍ଶନୀ କ୍ରିକେଟ୍ ମ୍ୟାଚ୍, ଅପରାହ୍ନରେ ନଗରଭବନଠାରେ କବିତା ପାଠୋତ୍ସବ ଏବଂ ସନ୍ଧ୍ୟାରେ ନଗର ଭବନଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ନିଷ୍ପତି ନିଆଯାଇଛି । ସମ୍ମିଳିତ ପ୍ୟାରେଡ୍କୁ ଅଧିକ ଆକର୍ଷଣୀୟ କରିବା ପାଇଁ ଜାନୁୟାରୀ ୨୨,୨୩ ଓ ୨୪ ତାରିଖରେ ପ୍ରତିଦିନ ସକାଳ ୮ ଘଟିକା ସମୟରେ ଷ୍ଟାଡିୟମ୍ଠାରେ ପ୍ୟାରେଡ୍ ଅଭ୍ୟାସ କରାଯିବ । ସାଧାରଣତନ୍ତ୍ର ଦିବସ ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ବର୍ଗରେ ବକ୍ତୃତା, ଦେଶାତ୍ମବୋଧକ ସଂଗୀତ, ଝୋଟି, ଚିତ୍ରକଳା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପରିଚାଳନାଧିନ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା, ସମାଜର ବିଭିନ୍ନ ବର୍ଗର ଲୋକ ମାନଙ୍କ ମଧ୍ୟରେ ଭାରତୀୟ ସମ୍ବିଧାନ ସଂପର୍କିତ କୁଇଜ୍ ପ୍ରତିଯୋଗିତା ଆଦି ଆୟୋଜନ କରାଯିବାକୁ ନିଷ୍ପତି ନିଆଯାଇଛି । ବୈଠକରେ ନିଷ୍ପତି ଅନୁଯାୟୀ ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତିବିଶେଷ / ଅନୁଷ୍ଠାନଙ୍କୁ ସମ୍ବର୍ଦ୍ଧିତ କରାଯିବା ପାଇଁ ମଧ୍ୟ ପ୍ରସ୍ତାବ ଗୃହୀତ ହୋଇଥିଲା । ଏତଦ୍ବ୍ୟତୀତ ସାଧାରଣତନ୍ତ୍ର ଦିବସ ସମାରୋହର ସୁପରିଚାଳନା ନିମନ୍ତେ ଆଇନ ଶୃଙ୍ଖଳା, ଟ୍ରାଫିକ୍ କଂଟ୍ରୋଲ୍, ଆଶୁ ଚିକିତ୍ସା, ପାନୀୟ ଜଳ ଯୋଗାଣ ଓ ପରିଚ୍ଛନ୍ନତା, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ତଥା ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା ହୋଇଥିଲା । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ସୁଷମା ବିଲୁଙ୍ଗ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ପିଏ ଆଇ.ଟି.ଡି.ଏ. ତପନ କୁମାର ନାଏକ, କେନ୍ଦୁଝର ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ, ଡି.ଏସ୍.ପି. ଡିଆଇବି ଶ୍ରୀମତୀ ଇନ୍ଦୁରେଖା ପଶ୍ଚିମକବାଟ, ଏସ୍.ଡି.ପି.ଓ. ମହେନ୍ଦ୍ର ନାଥ ମୁର୍ମୁ, ଆର୍.ଆଇ.ଅଫ୍ ପୋଲିସ୍ ବିମଳ ରାଉତ, କେନ୍ଦୁଝରଗଡ଼ ପୌରପାଳିକାର ନିର୍ବାହୀ ଅଧିକାରୀ ଡାଃ ମଧୁସ୍ମିତା ସାମନ୍ତରାୟଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ଗଣମାଧ୍ୟମର ପ୍ରତିନିଧି, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ବିଭିନ୍ନ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନର କର୍ମକର୍ତା, ସ୍ୱେଚ୍ଛାସେବୀ ସଂସ୍ଥାର କର୍ମକର୍ତା ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରି ସାଧାରଣତନ୍ତ୍ର ଦିବସ ପାଳନକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ମତାମତ ପ୍ରଦାନ କରିଥିଲେ ।
