ଜିଲ୍ଲାସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଯାପିତ
କେନ୍ଦୁଝର : କେନ୍ଦୁଝର ଷ୍ଟାଡିୟମ୍ ଠାରେ ୧୭ ବର୍ଷ ଓ ୧୪ ବର୍ଷ ରୁ କମ୍ ଜିଲ୍ଲାସ୍ତରୀୟ ଖେଳକୁଦ ପ୍ରତିଯୋଗିତା ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭା କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ପାଟଣା ବିଧାୟକ ଜଗନ୍ନାଥ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳୀଙ୍କ ଉତ୍ସାହ ବୃଦ୍ଧି କରିଥିଲେ । ସମ୍ମାନିତ ଅତିଥି ଭାବେ ସଦର ବିଧାୟକ ମୋହନ ଚରଣ ମାଝୀ ଏବଂ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ପାଠ ସହିତ କ୍ରୀଡ଼ା ର ଆବଶ୍ୟକତା ଓ କ୍ୟାରିଅର ଗଢିବାକୁ କ୍ରୀଡାବିତ୍ ମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭ ରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।କବାଡି ଖେଳରେ ୧୭ ବର୍ଷରୁ କମ୍ ବାଳକ ବର୍ଗରେ ଝୁମ୍ପୁରା ଚମ୍ପିଆନ,ହାଟଡିହି ରନର୍ସ ଅପ୍ ଏବଂ ବାଳିକା ବର୍ଗରେ ପାଟଣା ଚମ୍ପିଆନ, ଯୋଡ଼ା ରନର୍ସ ଅପ୍ ହୋଇଥିଲା । ସେହିପରି ୧୪ ବର୍ଷରୁ କମ୍ ବାଳକ ବର୍ଗରେ ତେଲକୋଇ ଚମ୍ପିଆନ, ଆନନ୍ଦପୁର ରନର୍ସ ଅପ୍ ଏବଂ ବାଳିକା ବର୍ଗରେ ଯୋଡ଼ା ଚମ୍ପିଆନ, ଚମ୍ପୁଆ ରନର୍ସ ଅପ୍ ହୋଇଥିଲା । ଖୋ ଖୋ ପ୍ରତିଯୋଗିତା ୧୭ ବର୍ଷରୁ କମ୍ ବାଳକ ବର୍ଗରେ ସାହାରପଡ଼ା ଚମ୍ପିଆନ,ଘଷିପୁରା ରନର୍ସ ଅପ୍ ଏବଂ ବାଳିକା ବର୍ଗରେ ଚମ୍ପୁଆ ଚମ୍ପିଆନ,ଝୁମ୍ପୁରା ରନର୍ସ ଅପ୍ ହୋଇଥିବା ବେଳେ ୧୪ ବର୍ଷରୁ କମ୍ ବାଳକ ବର୍ଗରେ ତେଲକୋଇ ଚମ୍ପିଆନ,ଘଷିପୁରା ରନର୍ସ ଅପ୍ ଏବଂ ବାଳିକା ବର୍ଗରେ ଚମ୍ପୁଆ ଚମ୍ପିଆନ, ଘଷିପୁରା ରନର୍ସ ଅପ୍ ହୋଇଥିଲା । କ୍ରିକେଟ୍ ଖେଳରେ ସାହାରପଡ଼ା ଦଳ ସୁପର ଓଭର ରେ ହାଟଡିହି ଦଳକୁ ହରାଇ ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲା ।ଏହି ସମସ୍ତ ପ୍ରତିଯୋଗିତା ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଡମ୍ବରୁଧର ମହାନ୍ତ ଙ୍କ ତତ୍ୱାବଧାନରେ ଜିଲ୍ଲାର ସମସ୍ତ କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ସୂଚାରୁରୂପେ ସମ୍ପାଦନ ହୋଇଥିଲା ।
