କଟକଠାରେ ୮୮ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ
କଟକ : ଓଡିଶା ପୋଲିସର ରାଜ୍ୟସ୍ତରୀୟ ୮୮ତମ ପୋଲିସ ପ୍ରତିଷ୍ଠା ଦିବସ ଆଜି ଅପରାହ୍ନରେ ୬ଷ୍ଠ ବାଟାଲିୟନଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆୟୋଜିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରଥିଲେ । ମୁଖ୍ୟ ଅତିଥି ପ୍ରଥମେ ସହିଦ ପୋଲିସ କର୍ମଚାରୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଆର୍ôଥକ ପୁରସ୍କାର ପ୍ରଦାନ କରିଥିଲେ । ପୋଲିସ ପ୍ରତିଷ୍ଠା ଦିବସ ଉପଲକ୍ଷେ ମାନ୍ୟବର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତାକି ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଆଇନ ଶୃଙ୍ଖଳା) ଆର କେ ଶର୍ମା ପାଠ କରିଥିଲେ । ଆଜିର ଏହି ପ୍ୟାରେଡରେ ଏସଓଜି, ଓଏସଏପି, ଆଇଆରବି, ୟୁପିଡି କଟକ, ୟୁପିଡି ଭୁବନେଶ୍ୱର-କଟକ, ରୁରାଲ ମହିଳା ଏପିଆର, ଟ୍ରାଫିକ କନେଷ୍ଟବଳ, କମିଶନରେଟ ପୋଲିସ ଭୁବନେଶ୍ୱର-କଟକ, ଓଡ୍ରାଫ, ଓଆଇଏସଏଫ, ଓଏସଏଏଫ ଓ ଅଗ୍ନିଶମ ସେବାଙ୍କୁ ନେଇ ମୋଟ ୧୦ଟି ଦଳ ଅଂଶ ଗ୍ରହଣ କରିଥିଲେ । ପ୍ୟାରେଡର ମୁଖ୍ୟ କମାଣ୍ଡର ଅମ୍ରିତପାଲ ସିଂଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ୟାରେଡ ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଶର୍ମାଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥିଲା ।
