ପୋଲିସକୁ ବଡ ସଫଳତା : ୮ ହାର୍ଡକୋର ମାଓବାଦୀ ଗିରଫ, ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ
ମାଲକାନଗିରି : ମାଲକାନଗିରି-ଛତିଶଗଡ ସୀମାନ୍ତ ସୁକୁମା ଜିଲାରେ ପୋଲିସକୁ ମିଳିଲା ବଡ ସଫଳତା । ଚିନ୍ତଲନାଡ ଥାନା ଅନ୍ତର୍ଗତ ମୋରାପାଲ୍ଲି ଜଙ୍ଗଲରେ ଡିଆରଜି ଓ ସିଆରପିଏଫ କୋବ୍ରା ବାଟାଲିୟନର ଯବାନମାନେ ମିଳିତ ଭାବେ କମ୍ବିଂ ଅପରେସନ କରୁଥିବା ସମୟରେ ୮ ଜଣ ହାର୍ଡକୋର ମାଓବାଦୀଙ୍କ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିବାରେ ସଫଳ ହୋଇଛନ୍ତି ସୁରକ୍ଷା କର୍ମୀ ।
ମାଓ ସଂଗଠନରେ ଏମାନେ ଦୀର୍ଘ ବର୍ଷ ଧରି କାମ କରିବା ସହ ଯବାନଙ୍କ ଉପରେ ଫାୟାରିଂ, ଉନ୍ନୟନମୂଳକ କାମକୁ ବିରୋଧ କରି ଗାଡି ମୋଟର ଜାଳିବା, ରାସ୍ତା କାଟିବା, ସାଧାରଣ ଆଦିବାସୀ ଲୋକଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିବା ଓ ମାଓ ନେତାଙ୍କ ଆଦେଶରେ ବିଭିନ୍ନ ଗ୍ରାମରେ ପ୍ରଜାମେଳି କରିବା ଭଳି ବହୁ ଅପରାଧିକ ମାମଲାରେ ଜଡିତ ରହିଥିବା ପୋଲିସ ଜାଣି ପାରିଛି । ଗିରଫ ପରେ ଏହି ୮ ଜଣ ନକ୍ସଲପନ୍ଥୀଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୁକୁମା ଏସପି କହିଛନ୍ତି ।
