ଫକୀରମୋହନ ନଗରରେ ୭୪ତମ ଗଣତନ୍ତ୍ର ଦିବସ ପାଳନ
ବାଲେଶ୍ୱର : ଆଜି ଫକୀରମୋହନ ନଗର ସ୍ଥିତ ଈଶାନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ୭୪ତମ ଜନରାଜ୍ୟ ଦିବସ ପାଳନ ଅବସରରେ ବରିଷ୍ଠ ସଭ୍ୟ ଡକ୍ଟର କ୍ଷିତିଶ୍ୱର ଦାଶ ପତାକା ଉତ୍ତୋଳନ କରି ଗଣତନ୍ତ୍ର ଦିବସର ତାତ୍ପର୍ଯ୍ୟ ସ୍ୱାଧୀନତା ପାଇବାର ଅଧିକାର ଏବଂ ଶୃଙ୍ଖଳିତ ସମାଜ ଗଠନର ଭୂମିକା ସଂପର୍କରେ ଆଲୋକପାତ କରିଥିଲେ । ବିକାଶ ପରିଷଦର ସଭାପତି ଶଚୀନ୍ଦ୍ର ଦାସ ଗଣତନ୍ତ୍ର ଦିବସକୁ ଏକ ଗଣପର୍ବ ବୋଲି ବର୍ଣ୍ଣନା କରି ଉତ୍ସର୍ଗୀକୃତ ସେବା, ସଂଗ୍ରାମ, ସମର୍ପଣ ଓ ସର୍ବଧର୍ମ ସମନ୍ୱୟରେ ଆଗେଇଯିବାକୁ ଯୁବପିଢ଼ିକୁ ଆହ୍ୱାନ ଦେଇଥିଲେ । ସାଧାରଣ ସଂପାଦକ ଶ୍ରୀ ଅଶୋକ ଦାସ ଇଂରେଜମାନଙ୍କ ଶାସନ ବିରୁଦ୍ଧରେ ଦୁଃସାହସିକ କାର୍ଯ୍ୟ କରିଥିବା ବୀରମାନଙ୍କର ସ୍ମୃତିଚାରଣ କରିଥିଲେ । କରଞ୍ଜିଆ ପଞ୍ଚାୟତର ସରପଞ୍ଚ ଶ୍ରୀ ମୁକୁନ୍ଦ ଭାରତୀ ସ୍ୱାଧୀନତା ଲାଭ ପରେ ଦେଶର ଉନ୍ନତି ନିଜ ଗ୍ରାମର ଉନ୍ନତି ପାଇଁ ଦେଶପାଇଁ ପ୍ରାଣବଳୀ ଦେଇଥିବା ବୀରମାନଙ୍କର ଆଦର୍ଶରେ ଅନୁପ୍ରାଣିତ ହେବା, ହାତସହ ହାତ ମିଳାଇ କାର୍ଯ୍ୟ କରିବାକୁ ବକ୍ତବ୍ୟ ରଖିଥିଲେ । ବରିଷ୍ଠ ସଭ୍ୟ ଶ୍ରୀଜଗନ୍ନାଥ ସାମଲ ଯୁବପିଢ଼ିର ଦାୟିତ୍ୱ ସଂପର୍କରେ ସଚେତନ କରାଇଥିଲେ । ଶ୍ରୀ ଲକ୍ଷ୍ମୀନାରାୟଣ ପଣ୍ଡା ବଳିଦାନର ଇତିହାସକୁ ସ୍ମରଣ କରାଇ ଦୃଢ଼ ଇଚ୍ଛାଶକ୍ତି, ସତ୍ୟ ଓ ଅହିଂସା ସ୍ୱାଧୀନତାର ପୃଷ୍ଠଭୂମିକୁ ଦୃଢ଼ କରିପାରିବ ବୋଲି ବକ୍ତବ୍ୟ ରଖିଥିଲେ । ଯୁବନେତା ଶ୍ରୀ ନଳିନୀ ପଣ୍ଡା ତ୍ରିରଙ୍ଗା ତଳେ ଠିଆ ହୋଇ ସମସ୍ତେ ଗ୍ରାମ୍ୟ, ପଞ୍ଚାୟତ, ରାଜ୍ୟ ଓ ଦେଶର ଉନ୍ନତିପାଇଁ ସଂଘବଦ୍ଧ ଭାବେ ଶପଥ ନେବାକୁ ଆହ୍ୱାନ ଦେଇଥିଲେ ।ବିକାଶ ପରିଷଦର ପୂର୍ବତନ ସଭାପତି ହୃଷିକେଶ ସାହୁ, ଯୁଧିଷ୍ଠିର ନନ୍ଦ, ଆଦିତ୍ୟ ପାଢ଼ୀ, ଭଗବାନ ବେହେରା, ସବିତା ମିଶ୍ର ନିତ୍ୟାନନ୍ଦ ପାଲ, ସୂର୍ଯ୍ୟକାନ୍ତ ପଣ୍ଡା, ରମେଶ ଚନ୍ଦ୍ର ସାହୁ, ଅନିରୁଦ୍ଧ ପାଢ଼ୀ, ସୁରେନ୍ଦ୍ର ନାଥ ପାଣି, ରବୀନ୍ଦ୍ର ରାଉତ ଓ ଅନ୍ୟମାନେ ସହଯୋଗ କରିଥିଲେ । ସର୍ବଶେଷରେ ପିଲାମାନଙ୍କୁ ଶେଉବୁନ୍ଦି ବଣ୍ଟନ କରାଯାଇଥିଲା ।
