ତିହିଡ଼ି ବ୍ଲକ୍ ଜନଶୁଣାଣିରେ ୬୯ ଅଭିଯୋଗ ଆଗତ
ଭଦ୍ରକ : ତିହିଡ଼ି ବ୍ଲକ୍ କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ଜିଲାପାଳ ଓ ଏସ୍.ପି.ଙ୍କ ମିଳିତ ଜନଶୁଣାଣିରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଏସ୍.ପି. ଚରଣ ସିଂ ମୀନା ଯୋଗ ଦେଇ ସମୁଦାୟ ୬୯ଟି ଅଭିଯୋଗର ଶୁଣାଣି କରିଛନ୍ତି । ସେଥି ମଧ୍ୟରେ ୮ଟି ଅଭିଯୋଗ ସାମୂହିକ ସମସ୍ୟା ଭିତ୍ତିକ ଥିଲା ବେଳେ ୬୧ଟି ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ଥିଲା । ରେଡ଼୍କ୍ରସ୍ ସମ୍ବନ୍ଧୀୟ ଥିବା ଦୁଇଟି ଅଭିଯୋଗର ଆବେଦନ କାରିଣୀ ଦୁଇ କ୍ୟାନସର ରୋଗୀ ସରସ୍ୱତୀ ନାୟକଙ୍କୁ ୧୦ ହଜାର ଓ ଭାରତୀ ନାୟକଙ୍କୁ ୭ ହଜାର ଟଙ୍କାର ଆର୍ଥିକ ସହାୟତା ଭାବେ ଚିକିତ୍ସା ପାଇଁ ତତ୍କାଳ ଚେକ୍ ପ୍ରଦାନ କରାଯାଇଥିଲା ।
ଭଦ୍ରକ ଜିଲାପରିଷଦର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରତାପ ପ୍ରୀତିମୟ, ତିହିଡ଼ି ବ୍ଲକ୍ ଅଧ୍ୟକ୍ଷା ଅବନ୍ତୀ ଦାସ, ଉପଜିଲ୍ଲାପାଳ ମନୋଜ ପାତ୍ର, ତିହିଡ଼ି ବି.ଡ଼ି.ଓ. ଜ୍ୟୋର୍ତିମୟ କର, ତିହିଡ଼ି ତହସିଲଦାର ପ୍ରତୀକ କୁମାର ସାହୁ ପ୍ରମୁଖ ଏହି ଶିବିରରେ ଯୋଗ ଦେଇ ଥିଲେ । ଜଳସେଚନରେ ଅବ୍ୟବସ୍ଥା, ରାସ୍ତା ଅବରୋଧ, ଇନ୍ଦିରା ଆବାସ ଘର, ଭତ୍ତା ନମିଳିବା ଆଦି ବିଭିନ୍ନ ବିଭାଗୀୟ ଯୋଜନା ସମ୍ବନ୍ଧରେ ଅଭିଯୋଗ ସବୁ ଆଗତ କରାଯାଇଥିଲା । ୨ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା । ଅନ୍ୟ ଗୁଡ଼ିକର ସମାଧାନ ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ସହକାରୀ ଜିଲ୍ଲାପାଳ ବସନ୍ତ କୁମାର ଲେଙ୍କା । ଅଭିଯୋଗ ଉପସ୍ଥାପନରେ ସହଯୋଗ କରିଥିଲେ । ଜିଲ୍ଲା ଓ ବ୍ଲକ, ସ୍ତରୀୟ ଅଧିକାରୀମାନେ ଏହି ଶିବିରରେ ଉପସ୍ଥିତ ଥିଲେ ।
