ଷ୍ଟେଟବ୍ୟାଙ୍କ ସମ୍ମୁଖରୁ ବାଇକ ଡ଼ିକି ଭାଙ୍ଗି ୬୭ ହଜାର ଲୁଟ
ଚମ୍ପୁଆ : ଚମ୍ପୁଆ ଷ୍ଟେଟ ବ୍ୟାଙ୍କ ସମ୍ମୁଖରୁ ଆଜି ଦିନ ଦ୍ୱିପ୍ରହରରେ ବାଇକ ଡ଼ିକି ଭାଙ୍ଗି ୬୭ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଚମ୍ପୁଆ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଚମ୍ପୁଆ ବିଦ୍ୟୁତ ବିଭାଗର ଜଣେ କର୍ମଚାରୀ ସୁନୀଲ କୁମାର ମହାନ୍ତ ନିଜ ବାଇକରେ ୬୭ ହଜାର ଟଙ୍କା ରଖି ଷ୍ଟେଟ ବ୍ୟାଙ୍କରେ ଡିପୋଜିଟ କରିବାକୁ ଯାଇଥିଲେ । ବ୍ୟାଙ୍କ ବାହାରେ ବାଇକ ରଖି ବୁଝାବୁଝୀ କରିବାପାଇଁ ବ୍ୟାଙ୍କ ଭିତରକୁ ଯାଇଥିବାବେଳେ କେହି ଦୁର୍ବୃତ ବାଇକ ଡ଼ିକି ଭାଙ୍ଗି ଟଙ୍କା ନେଇ ଫେରାର ହୋଇ ଯାଇଥିଲେ । ସେ ବ୍ୟାଙ୍କରୁ ବାହାରି ଡ଼ିକି ଭାଙ୍ଗି ଟଙ୍କା ଚୋରୀ ହୋଇ ଥିବା ଜାଣି ଚମ୍ପୁଆ ଥାନାରେ ଅଭିଯୋଗ କରିଥିବାବେଳେ ଖବର ପାଇ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଜାରି ରଖିଥିବା ଜଣାପଡିଛି ।
