୬୧ତମ ଜାତୀୟ ଓପନ୍ ଦୌଡ଼କୁଦ : ଦ୍ବିତୀୟ ପଦକ ହାସଲ କଲେ ଶ୍ରାବଣୀ ନନ୍ଦ
ଭୁବନେଶ୍ବର : ବେଙ୍ଗାଲୁରୁରେ ଶେଷ ହୋଇଥିବା ୬୧ତମ ଜାତୀୟ ଓପନ୍ ଦୌଡ଼କୁଦରେ ଶ୍ରାବଣୀ ନନ୍ଦଙ୍କୁ ଦ୍ବିତୀୟ ପଦକ ମିଳିଛି । ପୂର୍ବରୁ ମହିଳା ୧୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ଜିତିଥିବା ଶ୍ରାବଣୀ ବୁଧବାର ୨୦୦ ମିଟର ଫାଇନାଲ୍ସରେ ୨୩.୭୧ ସେକେଣ୍ଡ ସମୟ ସହ ରେସ୍ ଶେଷ କରି ରୌପ୍ୟ ପଦକ ଜିତିଛନ୍ତି ।
ଏହି ଇଭେଣ୍ଟରେ ତାମିଲନାଡୁର ଅର୍ଚ୍ଚନା ସୁଶୀନ୍ଦ୍ରନ୍ (୨୩.୪୩ ସେକେଣ୍ଡ) ସ୍ବର୍ଣ୍ଣ ଓ ରେଳବାଇର ଚନ୍ଦ୍ରଲେଖା ଆନନ୍ଦ (୨୩.୮୪ ସେକେଣ୍ଡ) କାଂସ୍ୟ ପଦକ ପାଇଛନ୍ତି। ଏଥିସହିତ ଓଡ଼ିଶାର ମୋଟ ପଦକ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ପୁରୁଷ ଜାଭେଲିନ୍ରେ କିଶୋର କୁମାର ଜେନା କାଂସ୍ୟ ପଦକ ପାଇଥିଲେ। ପ୍ରତିଯୋଗିତାର ମହିଳା ବିଭାଗରେ ଓଡ଼ିଶା ୧୬ ପଏଣ୍ଟ ସହ ନବମ ସ୍ଥାନରେ ରହିଥିଲା ବେଳେ ପୁରୁଷରେ ୯.୫ ପଏଣ୍ଟରେ ୧୪ତମ ସ୍ଥାନ ଏବଂ ମିଶ୍ରିତ ଦଳ ଭାବେ ଓଡ଼ିଶା ୨୫ ପଏଣ୍ଟ ପାଇ ଦ୍ବାଦଶ ସ୍ଥାନରେ ରହିଛି। ଶେଷ ଦିନରେ ଅନୁଷ୍ଠିତ ମହିଳା ଲମ୍ବଡିଆଁ ଫାଇନାଲ୍ରେ ମନୀଷା ମେରେଲ ୫.୫୦ ମିଟର ସହ ଦଶମ ସ୍ଥାନରେ ରହିଥିଲେ।
