୬କ୍ୱିଣ୍ଟାଲ ୬୫କେଜି ଗଞ୍ଜେଇ ଜବତ, ଅଭିଯୁକ୍ତ ଗିରଫ
କୋରାପୁଟ : ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି କୋରାପୁଟ ଜିଲା ଅବକାରୀ ବିଭାଗ । ପାଖାପାଖି ୬ କ୍ୱିଣ୍ଟାଲ ୬୫ କେଜି ଗଞ୍ଜେଇ ଜବତ କରାଯାଇଛି । ଏହି ମାମଲାରେ ଜଣେ ବେପାରୀଙ୍କୁ ମଧ୍ୟ ଗିରଫ କରାଯାଇଛି ।
ସୂଚନା ଯେ, ବାହାର ରାଜ୍ୟରୁ ଆସି କିଛି ବେପାରୀ ଏଠାରେ ଗଞ୍ଜେଇ ବେପାର କରୁଥିବା ପୋଲିସ ଓ ଅବକାରୀ ବିଭାଗ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଲଗାତର ଭାବେ ଅବକାରୀ ବିଭାଗ କଡ଼ା ନଜର ରଖିଥିଲା । ଯୋଜନାବଦ୍ଧ ଭାବେ ଅବକାରୀ ବିଭାଗ ନନ୍ଦପୁର ବ୍ଲକ କମାରଗୁଡା ଛକ ମାରଦା ଗାଁରେ ଚଢାଉ କରି ଏକ ଘରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୬୫ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ସେହିପରି ଅବକାରୀ ବିଭାଗର ଚଢାଉରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ବାହାର ରାଜ୍ୟରୁ ଆସିଥିବା ଫେରିବାଲାମାନେ ଗାଁ ଗାଁ ବୁଲି ବ୍ୟବସାୟ କରିବା ସହ ଗଞ୍ଜେଇ କାରବାରରେ ମଧ୍ୟ ସଂପୃକ୍ତି ରହୁଥିବା ନେଇ କିଛି ତଥ୍ୟ ସାମ୍ନାକୁ ଆସିଛି । ଯାହାର ପର୍ଦ୍ଦାଫାସ କରିଛି ଅବକାରୀ ବିଭାଗ । ହରିୟାଣାରୁ ଆସି ଶୀତ ବସ୍ତ୍ର ବିକ୍ରୟ କରୁଥୁବା ସୁଲତାନ ସିଂକୁ ଗିରଫ କରିଛି ଅବକାରୀ ବିଭାଗ ।
