୪ର୍ଥ ଟି-୨୦ : ୱେଷ୍ଟଇଣ୍ଡିଜକୁ ୯ ୱିକେଟ୍ରେ ହରାଇଲା ଭାରତ, ୨-୨ରେ ଶୃଙ୍ଖଳା
ଫ୍ଲୋରିଡା : ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଶନିବାର ଖେଳ ଯାଇଥିବା ୪ର୍ଥ ଟି-୨୦ରେ ଯଶସ୍ବୀ-ଗିଲ୍ଙ୍କ ୧୬୫ରନ୍ ଭାଗିଦାରୀ ବଳରେ ୱେଷ୍ଟଇଣ୍ଡିଜକୁ ୯ ୱିକେଟ୍ରେ ହରାଇଲା ଭାରତ । ଏଥି ସହିତ ଚଳିତ ଶୃଙ୍ଖଳା ୨-୨ରେ ପହଞ୍ଚିଛି। ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚ୍ ଅଗଷ୍ଟ ୧୩ (ରବିବାର) ଖେଳାଯିବ।
ଆମେରିକାର ଫ୍ଲୋରିଡାସ୍ଥିତ ସେଣ୍ଟ୍ରାଲ ବ୍ରୋଫିଲ୍ଡ ସେଣ୍ଟ୍ରାଲ ପାର୍କ ଷ୍ଟାଡିୟମଠାରେ ଶନିବାର ଖେଳାଯାଇଥିବା ମ୍ୟାଚ୍ରେ ପ୍ରଥମ ପାଳିରେ ୪ର୍ଥ ଟି-୨୦ରେ ଓ୍ବେଷ୍ଟଇଣ୍ଡିଜ୍ ଟଜ୍ ଜିଣି ପ୍ରଥମେ ବ୍ୟାଟିଂ କରିଥିଲା। ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୧୭୮ରନ କରିଥିଲା। ଦଳର ଦୁଇ ଓପନର କାଇଲ୍ ମେୟର୍ସ ଓ ବ୍ରାଣ୍ଡନ କିଙ୍ଗ୍ ଭଲ ଆରମ୍ଭ କରିଥିଲେ ବି ବଡ଼ ସ୍କୋର କରିପାରିନଥିଲେ । ମେୟର୍ସ ୧୭ ରନ କରିଥିବାବେଳେ କିଙ୍ଗ ୧୯ ରନ କରିଥିଲେ । ୩ୟ ସ୍ଥାନରେ ଆସିଥିବା ସାଇ ହୋପ୍ ୪୫ରନ କରିଥିଲେ । କିନ୍ତୁ ଦଳରୁ ୨ ମଧ୍ୟକ୍ରମ ବ୍ୟାଟର ନିକୋଲାସ ପୁରନ୍ ଓ ରୋଭମାନ ପାଓ୍ବେଲ ବିଫଳ ହୋଇଥିଲେ । ତେବେ ସିମରନ ହେଟମେୟର ଆଜି ନିଜର ବ୍ୟାଟିଂର ନମୁନା ଦେଖାଇଥିଲେ । ସେ ମାତ୍ର ୩୯ଟି ବଲରେ ୩ ଚୌକା ଓ ୪ ଛକା ସହ ୬୧ରନ କରିଥିଲେ । ଫଳରେ ଦଳ ଭାରତ ବିପକ୍ଷରେ ୧୭୮ ରନର ଏକ ଚ୍ୟାଲେଞ୍ଜିଂ ସ୍କୋର ଛିଡ଼ା କରିଥିଲା । ଭାରତ ପକ୍ଷରୁ ଅର୍ସଦୀପ ସିଂ ୩ଟି ଓ କୂଳଦୀପ ଯାଦବ ୨ଟି ଓ୍ବିକେଟ ନେଇଥିଲେ ।
ଭାରତକୁ ୱେଷ୍ଟଇଣ୍ଡିଜ୍ ପକ୍ଷରୁ ୧୭୯ ରନ୍ର ବିଜୟ ଲକ୍ଷ୍ୟ ମିଳିଥିଲା। ଭାରତୀୟ ଖେଳାଳି ନିର୍ଦ୍ଧାରିତ ୧୭ ଓଭରରେ ୧ ୱିକେଟ୍ ହରାଇ ୧୭୯ ରନ୍ କରିଥିଲେ । ଭାରତ ପକ୍ଷରୁ ଜୟସ୍ବାଲ ୮୪ ରନ୍ କରିଥିବା ବେଳେ ଶୁଭମନ୍ ଗିଲ ୭୭ ରନ୍ କରିଥିଲେ ।
