ସାତକୋଶିଆ ଗଣ୍ଡରେ ଛଡ଼ାଗଲା ଆଉ ୪ ଘଡ଼ିଆଳ କୁମ୍ଭୀର
ଅନୁଗୋଳ: ସାତକୋଶିଆ ଅଭୟାରଣ୍ୟର ମହାନଦୀ ସାତକୋଶିଆ ଗଣ୍ଡରେ ଛଡ଼ାଗଲା ଆଉ ୪ଟି ଘଡ଼ିଆଳ କୁମ୍ଭୀର। ଗଣ୍ଡରେ ପ୍ରାକୃତିକ ପରିବେଶ ମଧ୍ୟରେ କୁମ୍ଭୀର ପ୍ରଜନନ ପାଇଁ ବନବିଭାଗ ଆରମ୍ଭ କରିଛି ପ୍ରୟାସ। ଏହି କୁମ୍ଭୀରଗୁଡିକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ସାତକୋଶିଆ ଅଭୟାରଣ୍ୟକୁ ଅଣାଯାଇଛି। ଛୋଟ ବଡ଼ ଏହି ୪ଟି ପ୍ରାପ୍ତ ବୟସ୍କ ଘଡ଼ିଆଳଙ୍କୁ ମହାନଦୀର ସାତକୋଶିଆ ଗଣ୍ଡରେ ଛଡ଼ାଯାଇଛି। ତେବେ ସେମାନଙ୍କ ଗତିବିଧିକୁ ନଜର ରଖିବା ପାଇଁ ସେମାନଙ୍କ ଶରୀରରେ ସାଟେଲାଇଟ୍ ଟ୍ରାନ୍ସମିଟର ଲଗାଯାଇଛି।
ଗଣ୍ଡକୁ ତିନୋଟି ପର୍ଯ୍ୟାୟରେ ୧୫ଟି କୁମ୍ଭୀର ଅଣାଯାଇଛି । ସାତକୋଶିଆ ଗଣ୍ଡରେ ମଗର ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଘଡ଼ିଆଳ ସଂଖ୍ୟା କମିବାର ଲାଗିଛି । ବନ ବିଭାଗର ତଥ୍ୟ ଅନୁଯାୟୀ ୨୦୧୯-୨୦ କୁମ୍ଭୀର ଗଣନାରେ ସାତକୋଶିଆ ଗଣ୍ଡରେ ୮ଟି ଘଡ଼ିଆଳ ଓ ଟିକରପଡ଼ା କୁମ୍ଭୀର ପ୍ରଜନନ କେନ୍ଦ୍ରରେ ୪ଟି କୁମ୍ଭୀରକୁ ମିଶାଇ ମୋଟ ୧୨ଟି ଘଡ଼ିଆଳ ଥିଲେ।
