ସୋର ପୁରୁବାଈ କନ୍ୟାଶ୍ରମର ୨୭ ଅନ୍ତେବାସିନୀ ଅଜଣା ଜ୍ୱରରେ ଗୁରୁତର : ଜଣେ ମୃତ
ସୋର : ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ ପୁରୁବାଈ କନ୍ୟାଶ୍ରମର ୨୭ ଜଣ ଅନ୍ତେବାସିନୀ ଅଜଣା ଜ୍ୱରରେ ଗୁରୁତର ହୋଇ ସୋର ଓ ବାଲେଶ୍ୱର ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ଜଣଙ୍କର ବାଲେଶ୍ୱର ଡାକ୍ତରଖାନାରେ ମୃତ୍ୟୁ ଘଟିଛି । ଗତ ୩ ଦିନ ତଳେ ଏହି ଆଶ୍ରମର କିଛି ଅନ୍ତେବାସିନୀ ଅଜଣା ଜ୍ୱରରେ ପିଡିତ ଥିବା ବେଳେ ସେମାନଙ୍କୁ ତୁରନ୍ତ ଚିକିତ୍ସିତ କରାଯାଇନଥିଲା । ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ପ୍ରବଳ ବାନ୍ତି ସହ ମୁଣ୍ଡ ବିନ୍ଧା ଆରମ୍ଭ ହେବାରୁ ଅବସ୍ଥା ଗୁରୁତର ହୋଇଥିଲା । ଗତକାଲି ଅପରାହ୍ନରେ ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲଶ । ପରେ ଅବସ୍ଥା ଅଧିକ ସଂକଟାପନ୍ନ ହେବାରୁ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଥିବା ବେଳେ ନିଳଗିରି ଅଂଚଳରୁ ଆସିଥିବା ୧୦ମ ଶ୍ରେଣୀର ଛାତ୍ରୀ ରୁବିନାଙ୍କର ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ଘଟିଥିଲା । ଖବର ପାଇ ବାଲେଶ୍ୱରରୁ ଶିଶୁ ମଙ୍ଗଳ ଅଧିକାରୀ ଓ ଡାକ୍ତରୀ ଟିମ୍ ଆଶ୍ରମରେ ପହଞ୍ଚି ଅନ୍ୟ ଗୁରୁତର ୨୭ ଜଣଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଇ ଚିକିତ୍ସା ବ୍ୟବସ୍ଥା ବୁଝିଥିଲେ । ଏବେ ମାମା ସିଂ(୬), ସୀତା ହାଂସଦା(୬), ଶ୍ରୀମନ୍ତି ସିଂ(୧୩), ଗାୟତ୍ରୀ ଘଡାଇ(୧୨), ଶୁଭଶ୍ରୀ ବେହେରା(୧୪), ପୂଜାରାଣୀ ଗିରି(୧୫), ବିନି ଦାସ(୧୨), ଚାଲ୍ସେ ହାଁସଦା(୧୧), ଗୀତା ସିଂ(୮), ପାନି ମାଝି(୬), ରାଧି ସିଂ(୭)ଙ୍କ ସହ ସମୁଦାୟ ୨୬ ଜଣ ଅନ୍ତେବାସିନୀ ଏବେ ସୋର ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସୁପରିନ୍ଟେଣ୍ଡେଣ୍ଟ ଡ. ସତ୍ୟନାରାୟଣ ନାୟକଙ୍କ ତତ୍ୱାବଧାନରେ ଏକ ଡାକ୍ତରୀ ଦଳ ଅସୁସ୍ଥଙ୍କୁ ଚିକିତ୍ସା କରୁଛନ୍ତି । ସୋର ପୈାରପାଳ ମାଧବ ଧଡା ଓ ଉପାଧ୍ୟକ୍ଷା ସସ୍ମିତା ଦାସ ଡାକ୍ତରଖାନାରେ ପହଞ୍ଚି ଚିକିତ୍ସା ବ୍ୟବସ୍ଥା ବୁଝୁଛନ୍ତି ।
