ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ୱର ପ୍ଲେଟ୍ ଲଗାଇନଥିବା ୨୬୭୪ ଗାଡିକୁ ଜରିମାନା
ଭୁବନେଶ୍ୱର : ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ୱର ପ୍ଲେଟ୍(ଏଚ୍ଏସ୍ଆରପି) ଉଲ୍ଲଂଘନ ଅଭିଯୋଗରେ ଓଡ଼ିଶା ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍ଟିଏ) ୨୬୭୪ଟି ଯାନ ବିରୋଧରେ ଚାଲାଣ କାଟିଛି । ଫେବ୍ରୁଆରୀ ୧ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଭିତରେ ଏହି ସବୁ ଚାଲାଣ କଟାଯାଇଛି । ୨୦୨୨ ମସିହା ଜୁନ୍ ୧ ତାରିଖ ପୂର୍ବରୁ ରାଜ୍ୟ ପରିବହନ ବିଭାଗ ସମସ୍ତ ଶ୍ରେଣୀ ଯାନ ପାଇଁ ଏଚ୍ଏସ୍ଆରପି ବାଧ୍ୟତାମୂଳକ କରିଛନ୍ତି । ଆଡିସନାଲ କମିଶନର ଟ୍ରାନ୍ସପୋର୍ଟ ଲାଲମୋହନ ସେଠୀ କହିଛନ୍ତି, ୨୦୨୩ ମସିହା ଫେବ୍ରୁଆରୀ ୧୩ ତାରିଖ ସୁଦ୍ଧା ମୋଟ୍ ୩୮,୪୯,୪୯୮ ଜଣ ଗାଡି ମାଲିକ ସ୍ଲଟ୍ ବୁକ କରିଛନ୍ତି । ସେଥିମଧ୍ୟରୁ ୩୧,୬୫,୮୫୦ଟି ଗାଡିରେ ଏଚ୍ଏସ୍ଆରପି ଲଗାଯାଇଛି । ଏମଭି ଧାରା ୧୯୨ ଅଧୀନରେ ଆକ୍ଟ, ୧୯୮୮ ଅନୁଯାୟୀ ଯଦି ନିର୍ଦ୍ଧାରିତ ତାରିଖ ମଧ୍ୟରେ ଗାଡିରେ ଏଚ୍ଏସ୍ଆରପି ସହିତ ସଂଲଗ୍ନ ନହୁଏ, ତେବେ ଗାଡି ମାଲିକଙ୍କ ବିରୋଧରେ ଇ-ଚାଲାଣ ଜାରି କରାଯିବ । ଜରିମାନା ବାବଦକୁ ୫୦୦୦ ଟଙ୍କା କିମ୍ବା ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯିବ ବୋଲି କମିଶନର କହିଛନ୍ତି । ସେ ଆହୁରି କହିଛନ୍ତି, ଏ ପର୍ଯ୍ୟନ୍ତ ଜାରି କରାଯାଇଥିବା ଚାଲାଣଗୁଡିକ ମଧ୍ୟରେ ଅଧିକାଂଶ ଯାନ ଦୁଇ ଚକିଆ ଯାନ ଅଟେ । ଜରିମାନା ଉଲ୍ଲଂଘନକାରୀଙ୍କ ଉପରେ ୫୦୦୦ ଟଙ୍କା ଲଗାଯାଇଛି । ଭବିଷ୍ୟତରେ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସେଠୀ କହିଛନ୍ତି । ଶ୍ରୀ ସେଠୀ କହିଛନ୍ତି, “ଯେଉଁ ଗାଡି ମାଲିକମାନେ ଇଂଟରନେଟର ବ୍ୟବହାର କରନ୍ତି ନାହିଁ କିମ୍ବା ଟେକ୍ନୋଲୋଜି ବିଷୟରେ ଅଧିକ ଜ୍ଞାନ ନାହିଁ, ସେମାନେ ନିକଟସ୍ଥ ମୋ’ ସେବା କେନ୍ଦ୍ର କିମ୍ବା ସେମାନଙ୍କ ସୁବିଧା ଅନୁଯାୟୀ ଆରଟିଓରେ ଥିବା ଏଚ୍ଏସ୍ଆରପି ସୁବିଧା କେନ୍ଦ୍ର ମାଧ୍ୟମରେ ଏଚ୍ଏସ୍ଆରପି ପାଇଁ ଆବେଦନ କରିପାରିବେ । ୨୦୧୯ ଜାନୁଆରୀ ୧ ତାରିଖ ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଯାନଗୁଡିକ, ଯାହାକି ଓଡ଼ିଶା ରେଜିଷ୍ଟ୍ରେସନ୍ ନମ୍ୱର ଥିବା ୧,୨, ୩, ୪, ୫ ଓ ୬ ପୁରୁଣା ଯାନଗୁଡିକରେ ଏଚ୍ଏସ୍ଆରପି ସଂଲଗ୍ନ କରିବାର ସମୟ ସୀମା ୨୦୨୨ ଡିସେମ୍ୱର ୩୧ ତାରିଖକୁ ଧାର୍ଯ୍ୟ କରାଯାଥିଲା । ଠିକ୍ ସେହିପରି ୭ ଓ ୮ ସହିତ ସମାପ୍ତ ହେଉଥିବା ଯାନ ସଂଖ୍ୟା ପାଇଁ ଶେଷ ତାରିଖ ୨୦୨୩ ମସିହା ଜାନୁଆରୀ ୩୧ ତାରିଖରେ ଶେଷ ହୋଇଛି । ୯ ଓ ୦ ସହିତ ଶେଷ ହେଉଥିବା ଯାନଗୁଡିକ ପାଇଁ ଏଚ୍ଏସ୍ଆରପି ସଂଲଗ୍ନ କରିବାର ଶେଷ ତାରିଖ ୨୦୨୩ ମସିହା ଫେବ୍ରୁଆରୀ ୨୮ ତାରିଖ ରହିଛି ।
