କୋଭିଡ୍ ରେ ଯାଇଛି ୨୦ ହଜାର ଜୀବନ : ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟରେ କୋଭିଡରେ ଏପର୍ଯ୍ୟନ୍ତ ୨୦ ହଜାରରୁ ଉର୍ଦ୍ଧ୍ୱ ପ୍ରାଣହାନି ହୋଇଛି । ସେହିପରି ବନ୍ୟା,ବାତ୍ୟା ,ମରୁଡି, ପ୍ରବଳ ବର୍ଷାରେ ୧୦ ବର୍ଷ ଭିତରେ ୨୨୭ ଜଣଙ୍କର ପ୍ରାଣହାନି ଘଟିଛି ବୋଲି ଗୁରୁବାର ଦିନ ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି । ରାଜସ୍ୱମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ବାତ୍ୟା ତିତିଲିରେ ସର୍ବାଧିକ ୭୨ ଜଣଙ୍କର ଜୀବନ ଯାଇଥିବାବେଳେ ବାତ୍ୟା ଫନିରେ ୬୪ , ଫାଇଲିନ ବାତ୍ୟାରେ ୨୨ ଜଣଙ୍କ ଜୀବନ ଯାଇଛି । ସେହିପରି ବାତ୍ୟା ଅମ୍ଫାନ, ବୁଲବୁଲ,ଗୁଲାବ, ଜବାଦରେ କାହାରି ଜୀବନ ଯାଇ ନାହିଁ । ୨୦୧୨ରୁ ଅଦ୍ୟାବଧି ହୋଇଥିବା ବନ୍ୟା, ବାତ୍ୟା , ମରୁଡି, ପ୍ରବଳ ବର୍ଷାରେ ୪୦ ହଜାରରୁ ଅଧିକ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି ।
୨୦୧୨ ଓ ୨୦୧୬ ମସିହାରେ କୌଣସି ପ୍ରମୁଖ ପ୍ରାକୃତିକ ବିପର୍ଯ୍ୟୟ ହୋଇନାହିଁ । ଫାଇଲିନ ବାତ୍ୟାରେ ସର୍ବାଧିକ ୧୪ ହଜାର ୩୭୩ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବାବେଳେ ଫନିରେ ୯ହଜାର ୩୩୬ କୋଟି କ୍ଷୟକ୍ଷତି ହୋଇଛି । କେନ୍ଦ୍ରରୁ ପ୍ରାୟ ୬ ହଜାର ୩୦୦ କୋଟି ଟଙ୍କାର ସହାୟତା ମିଳିଛି । ତେବେ ଗତ ୫ ବର୍ଷ ମଧ୍ୟରେ ବନ୍ୟା,ବାତ୍ୟା,ମରୁଡି,ମାଟି ଅତଡା ଖସିବା ଅଂଶୁଘାତ,ସାପ କାମୁଡା,ପାଣିରେ ବୁଡି ଜୀବନ ଯିବା , ଡଙ୍ଗା ବୁଡି,ବନ୍ୟାରେ ଭାସିଯିବାରେ ୧୪ ହଜାର ୪୦୭ ଜଣଙ୍କ ଜୀବନ ଯାଇଛି ।
