ନାବାଳିକାକୁ ଦୁଷ୍କର୍ମ ମାମଲା ଆସାମୀକୁ ୨୦ ବର୍ଷ ଜେଲ୍
ବଲାଙ୍ଗିର : ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଟିକେଲାଲ ସାହୁକୁ ୨୦ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି ବଲାଙ୍ଗିର ସ୍ୱତନ୍ତ୍ର ପକ୍ସୋ କୋର୍ଟ । ମାମଲାର ବିବରଣୀରୁ ପ୍ରକାଶ ଯେ, ଦେଓଗାଁ ଥାନା ଅଂଚଳର ଏହି ୧୧ ବର୍ଷିୟା ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ନେଇ ୨୦୨୦ ମାର୍ଚ୍ଚ ୫ ତାରିଖରେ ଦେଓଗାଁ ଥାନାରେ ଏତଲା ହୋଇଥିଲା । ଥାନା ଅଧିକାରୀ ରଞ୍ଜନ କୁମାର ବରିହା ତଦନ୍ତ କରି ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରିଥିଲେ । ଅଭିଯୁକ୍ତ ଟିକେଲାଲକୁ ଗିରଫ କରି କୋର୍ଟଚାଲାଣ କରିଥିଲେ । ମାମଲା କୋର୍ଟରେ ବିଚାରାଧିନ ଥିଲା । ଆଜି ମାମଲାର ଶୁଣାଣି କରି ବଲାଙ୍ଗିର ସ୍ୱତନ୍ତ୍ର ପକ୍ସୋ କୋର୍ଟ ର ବିଚାରପତି ବିରଂଚି ନାରାୟଣ ମିଶ୍ର ତାଙ୍କ ରାୟରେ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ସେକ୍ସନ -୬ରେ ଆସାମୀକୁ ୨୦ ବର୍ଷ ଜେଲ୍ ଦଣ୍ଡ, ୫୦ ହଜାର ଟଙ୍କା ଜରିମାନା ଏବଂ ୫୦୬ ଧାରାରେ ୧ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି କୋର୍ଟ । ଜୋରିମାନା ଅନାଦୟେ ୨ ବର୍ଷ ଅଧିକ ଜେଲ୍ ଦଣ୍ଡ ଭୋଗିବାକୁ ହେବ ବୋଲି କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି । ମାମଲା ପରିଚାଳନା କରିଥିଲେ ସ୍ପେଶାଲ ପି.ପି. ଜୟରାମ ମିଶ୍ର ।
