ଶପଥ ନେଲେ ଓଡ଼ିଶା ହାଇକୋର୍ଟର ୨ ନୂଆ ବିଚାରପତି
କଟକ: ଶପଥ ନେଲେ ଓଡ଼ିଶା ହାଇକୋର୍ଟର ୨ ନୂଆ ବିଚାରପତି ଗୌରୀଶଙ୍କର ଶତପଥୀ ଓ ଚିତ୍ତରଞ୍ଜନ ଦାଶ । ଶନିବାର ଅପରାହ୍ନ ସାଢେ ୩ଟାରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ସେମାନେ ଶପଥ ନେଇଛନ୍ତି । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଦୁଇ ନୂତନ ବିଚାରପତିଙ୍କୁ ଶପଥ ପାଠ କରାଇଲେ ।
ହାଇକୋର୍ଟର ଏହି ୨ ନୂଆ ବିଚାରପତିଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି । ଏନେଇ ଶୁକ୍ରବାର କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୨୦୨୨ ଜୁଲାଇ ୨୫ରେ ସୁପ୍ରିମକୋର୍ଟ କଲେଜିୟମ, ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଗୌରୀଶଙ୍କର ଶତପଥୀ ଓ ଚିତ୍ତରଞ୍ଜନ ଦାଶଙ୍କ ନାଁ ସୁପାରିସ କରିଥିଲା ।
ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ଗୌରୀଶଙ୍କର ଶତପଥୀ ଓଡ଼ିଶା ଜୁଡିସିଆଲ ଏକାଡେମୀର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ସେ ୧୯୭୨ ଏପ୍ରିଲ ୨୫ରେ ଜନ୍ମ ଗ୍ରହଣ କରିଥିଲେ । ସେହିଭଳି ଭାବେ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଚିତ୍ତରଞ୍ଜନ ୧୯୬୪ ନଭେମ୍ବର ୧୨ରେ ଜନ୍ମ ଗ୍ରହଣ କରିଥିଲେ । ସେ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ଭାବେ କାର୍ଯ୍ୟରତ ଥିଲେ ।
