ମିଳିତ ଜନଶୁଣାଣିରେ ୧୪୪ଟି ଅଭିଯୋଗ ଆଗତ – ୨୩ ହଜାର ଟଙ୍କାର ଆର୍ଥକ ସହାୟତା ପ୍ରଦାନ
ଭଦ୍ରକ : ଚଳିତ ଫେବୃୟାରୀ ମାସର ପ୍ରଥମ ମିଳିତ ଜନଶୁଣାଣି ଶିବିର ଆଜି ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଏସ୍.ପି. ବରୁଣ ଗୁଣ୍ଟୁପାଲ୍ଲି ଏହି ଶିବିରରେ ଯୋଗ ଦେଇ ସମୁଦାୟ ୧୪୪ଟି ଅଭିଯୋଗର ଶୁଣାଣି କରି ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ସେଥିମଧ୍ୟରେ ୧୩୨ଟି ବ୍ୟକ୍ତିଗତ ସମସ୍ୟା ମୂଳକ ଅଭିଯୋଗ ଥିଲାବେଳେ ୧୨ଟି ସାମୂହିକ ସମସ୍ୟା ଭିତ୍ତିକ ଥିଲା । ରେଡ଼୍କ୍ରସ୍ ସମ୍ବନ୍ଧୀୟ ୪ ଜଣ ଅଭିଯୋଗକାରୀଙ୍କୁ ସମୁଦାୟ ୨୩ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ସେମାନଙ୍କ ମଧ୍ୟରେ ଥିଲେ ଦୋଳସାହିର ସୁଷମାରାଣୀ ବିଶ୍ୱାଳଙ୍କୁ ୧୦ ହଜାର, ନଦୀଗାଁର ଚନ୍ଦନ ଦାସଙ୍କୁ ୫ ହଜାର, ବସନ୍ତିଆର ଲିଙ୍ଗରାଜ ସାହୁଙ୍କୁ ୫ ହଜାର, କାଶିମ୍ପୁରର ବଳରାମ ଜେନାଙ୍କୁ ୩ ହଜାର ଟଙ୍କା ବିଭିନ୍ନ ରୋଗର ଚିକିସାô ପାଇଁ ଉକ୍ତ ଅର୍ଥ ମଞ୍ଜୁର କରାଯାଇ ତତ୍କାଳ ପ୍ରଦାନ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ସନ୍ତୋଷ କୁମାର ପାତ୍ର, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ କୁଶଳ ଚନ୍ଦ୍ର ନାୟକ ଏହି ଶିବିରରେ ଯୋଗ ଦେଇ ଶୁଣାଣି କାର୍ଯ୍ୟରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ । ଡ଼େପୁଟୀ କଲେକ୍ଟର କାର୍ତ୍ତିକନାଥ ମଣ୍ଡଳ ଓ ବସନ୍ତ କୁମାର ଲେଙ୍କା ଅଭିଯୋଗ ଉପସ୍ଥାପନାରେ ସହଯୋଗ କରିଥିଲେ । ଜିଲ୍ଲାସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ, ସଦର ବି.ଡ଼ି.ଓ. ଓ ତହସିଲଦାର ପ୍ରମୁଖ ଏହି ଶିବିରରେ ଉପସ୍ଥିତ ଥିଲେ । ଯୋଗାଣ ବିଭାଗ, ଶିକ୍ଷାବିଭାଗ ସାଳନ୍ଦୀ ଜଳସେଚନ, ଜିଲ୍ଲା ସମାଜ ମଙ୍ଗଳ, ଉଠା ଜଳସେଚନ, ସ୍ୱାସ୍ଥ୍ୟ, ପୋଲିସ, ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ, ରାଜସ୍ୱ ଆଦି ବିଭାଗ ସହ ଜିଲ୍ଲା ସାମାଜିକ ସୁରକ୍ଷା ଯୋଜନାରେ ବିଭିନ୍ନ ଭତ୍ତା, ଦିବ୍ୟାଙ୍ଗ ପ୍ରମାଣପତ୍ର ଆଦି ବାବଦରେ ଅଭିଯୋଗମାନ ଆଗତ ହୋଇଥିଲା ।
