ଆସନ୍ତାକାଲି ୧୨ ଘଣ୍ଟିଆ କଟକ ବନ୍ଦ
- ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗରେ ବନ୍ଦ ଡାକରା ଦେଲା ବିଜେପି
କଟକ : ମହାମାରୀ କରୋନା ସଂକ୍ରମଣକୁ ତୃଷ୍ଟ୍ରୀରେ ରଖି ପାର୍ବଣ ଋତୁରେ ମୂର୍ତ୍ତିଗୁଡ଼ିକର ଉଚ୍ଚତା ୫ ଫୁଟରୁ ଅଧିକ ହେବ ନାହିଁ ବୋଲି ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । ଫଳରେ ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗକୁ ନେଇ ଥମୁନି ବିବାଦ । ଆସ୍ତେ ଆସ୍ତେ ଏହି ଘଟଣାକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗକୁ ନେଇ ଆସନ୍ତାକାଲି (ସୋମବାର) ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦେଇଛି ବିଜେପି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ ହେବ। ତେବେ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଉପାୟରେ ବନ୍ଦ ପାଳନ କରାଯିବ ଓ ଜଳାପୋଡ଼ା ଓ ରାସ୍ତାରୋକ କରାଯିବ ନାହିଁ । ବନ୍ଦରେ ସାମିଲ ହେବା ପାଇଁ ମାଲଗୋଦାମ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ଆହ୍ୱାନ ଜଣାଇଛି ବିଜେପି । ତେବେ ଏହି ବନ୍ଦରୁ ସମସ୍ତ ଜରୁରୀ ସେବାକୁ ବାଦ୍ ଦିଆଯିବ । ଏନେଇ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ ସୂଚନା ଦେଇଛନ୍ତି ।
ଅପରପକ୍ଷେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ସମର୍ଥନ କରିଛନ୍ତି। ସେ କହିଛନ୍ତି, ନିଷ୍ପତ୍ତି କେବଳ କଟକ ସହର ପାଇଁ ନୁହେଁ, ସାରା ରାଜ୍ୟ ପାଇଁ ନିଆଯାଇଛି। ଶାସ୍ତ୍ରରେ ତ କାହିଁ କେଉଁଠି ମୂର୍ତ୍ତିର ଉଚ୍ଚତା ନେଇ ଲେଖାଯାଇନି। ତୃତୀୟ ଲହରକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
