ଚଳିତ ଖରିଫ ମଣ୍ଡିରେ ୩୫ ହଜାର ୩୫୭ ଚାଷୀଙ୍କ ଠାରୁ ୧୧ ଲକ୍ଷ ୨ ହଜାର କୁଇଣ୍ଟାଲ ଧାନ କ୍ରୟହେବ
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଧାନମଣ୍ଡି ଚଳିତ ମାସ ୧୪ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୩୫ ହଜାର ୩୫୭ ଚାଷୀଙ୍କ ଠାରୁ ୧୧ ଲକ୍ଷ ୨ ହଜାର କୁଇଂଟାଲ ଧାନ କ୍ରୟହେବା ପାଇଁ ନିଷ୍ପତି ନିଆଯାଇଛି । ମାଲକାନଗିରି ଜିଲ୍ଲାରେ ଚଳିତବର୍ଷ ଖରିଫ ଧାନସଂଗ୍ରହ ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ୭ଟି ଯାକ ବ୍ଳକରେ ମୋଟ ୬୬ଟି ମଣ୍ଡି ଖୋଲା ଯାଇଛି । ୮ଟି ଲ୍ୟାମ୍ପସ ଓ ୪ଟି ମହିଳା ସ୍ୱୟଂସହାୟକ ଗୋଷ୍ଠୀ ମଣ୍ଡିରୁ ଧାନ କ୍ରୟ ନିମନ୍ତେ ଦାୟିତ୍ୱ ଦିଆଯାଇଛି । ଜିଲ୍ଲାର କାଲିମେଳା, ପଡିଆ, କୋରକୁଣ୍ଡା, ମାଲକାନଗିରି, ମାଥିଲି, ଚିତ୍ରକୋଣ୍ଡା, ଖଇରପୁଟ, ସାତଟି ଯାକ ବ୍ଲକରେ ୬୬ଟି ମଣ୍ଡିରେ ଧାନ କ୍ରୟ କରା ଯିବାପାଇଁ ନିଷ୍ପତି ନିଆଯାଇ ଲ୍ୟାମ୍ପସ ମାନଙ୍କୁ ଦାୟିତ୍ୱ ଦିଆଯାଇଛି । ମାଲକାନଗିରି ଜିଲ୍ଲାର ୮ଟି ଲ୍ୟାମ୍ପସରେ ଇତି ମଧ୍ୟରେ ୩୫ ହଜାର ୩୫୭ ଜଣ ଚାଷୀଙ୍କର ନାମ ପଞ୍ଜିକରଣ ହୋଇସାରିଛି । ଚଳିତବର୍ଷ ଖରିଫରେ ସାଧାରଣ କିସମ ଧାନ କୁଇଂଟାଲ ପିଛା ୨୦୪୦ ଟଙ୍କା ଓ ଗ୍ରେଡ ଏ କିସମ ଧାନ ୨୦୬୦ ଟଙ୍କା ସରକାରି ଦର ଧାର୍ଯ୍ୟ କରାଯାଇଛି । ମାଲକାନଗିରି ଜିଲ୍ଲାରୁ ଚୋରା ବେପାରୀମାନେ ଚାଷୀଙ୍କ ଠାରୁ କମ ମୂଲ୍ୟରେ ଧାନକ୍ରୟ କରି ଯେପରି ବାହର ରାଜ୍ୟକୁ ଚାଲାଣ ନକରନ୍ତି ସେଥିପ୍ରତି ଜିଲ୍ଲା ପ୍ରଶାସନ ସଜାଗ ରହିବା ପାଇଁ ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥ ପ୍ରକାଶ କରିଛନ୍ତି I
