୧୧ ଫୁଟ୍ ଲମ୍ବର ବିଶାଳ ଅଜଗର ଉଦ୍ଧାର
ବାରିପଦା : ମୟୂରଭଞ୍ଜ ଜିଲା କୁଳିଅଣା ବ୍ଳକ ଦୁମୁଡିହା ପଞ୍ଚାୟତ ହଳଦିଆ ବନ୍ଧ କେନାଲ ନିକଟରୁ ଗତ ସୋମବାର ବିଳମ୍ବିତ ରାତିରେ ଏକ ବିଶାଳ ଅଜଗର ସାପକୁ ଉଦ୍ଧାର କରାଯାଇଛି। ଏହି ସାପଟିର ଲମ୍ବ ପ୍ରାୟ ୧୧ ଫୁଟ୍ ହୋଇଥିବା ବେଳେ ଏହା ୪୦ କେଜିରୁ ଅଧିକ ଓଜନ ବୋଲି ଜଣାପଡ଼ିଛି। ପ୍ରବଳ ବର୍ଷା କାରଣରୁ ଆସିଥିବା ପାଣିରେ ସାପଟି ଭାସି ଆସିଥିବା କୁହାଯାଉଛି।
ଏତେ ବଡ଼ ଅଜଗରକୁ ଦେଖି ଲୋକମାନେ ଭୟଭୀତ ହୋଇପଡ଼ିଥିଲେ। ଏନେଇ ଯୁବ ସାପ ଧରାଳି ଦିଲୀପ ଚୌଧୁରୀଙ୍କୁ ଖବର ଦିଆଯାଇଥିଲା। ଦିଲୀପ କାଲୁ ଦାଦା ଏବଂ ସରୋଜ କୁମାର ନାଏକଙ୍କ ସହଯୋଗରେ ଅଜଗରଟିକୁ ବହୁତ କଷ୍ଟରେ ଉଦ୍ଧାର କରିଥିଲେ। ପରେ ଏହି ସାପଟିକୁ ବାରିପଦା ବନଖଣ୍ଡ କାର୍ଯ୍ୟାଳୟରେ ଜିମା ଦେଇଥିଲେ ଦିଲୀପ।
