ସେପ୍ଟେମ୍ବର ସୁଦ୍ଧା ବଜାରକୁ ଆସିବା ‘ଜାଇକୋଭ-ଡି’
ନୂଆଦିଲ୍ଲୀ : ଆସନ୍ତା ମାସ ସେପ୍ଟେମ୍ବର ସୁଦ୍ଧା କରୋନା ଟିକା ଜାଇକୋଭ-ଡିର ପ୍ରଥମ ବ୍ୟାଚ୍ ବଜାରକୁ ଛାଡ଼ିବ ଜାଇଡସ କାଡିଲା । ସେହିପରି ସେପ୍ଟେମ୍ବର ଶେଷ ସୁଦ୍ଧା କମ୍ପାନି ପ୍ରାୟ ୩୦ରୁ ୪୦ ଲକ୍ଷ ମାତ୍ରା ଟିକା ଛାଡ଼ିବାକୁ ଲକ୍ଷ୍ୟ ରଖିଥିବାବେଳେ ଅକ୍ଟୋବର ଠାରୁ ମାସକୁ ୧ କୋଟି ମାତ୍ରା ଟିକା ଛାଡ଼ିବ ବୋଲି କମ୍ପାନୀର ଏମଡି ସର୍ବିଲ ପଟେଲ ସୂଚନା ଦେଇଛନ୍ତି ।
ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ତାଙ୍କ କମ୍ପାନୀ ବର୍ଷକୁ ୧୦ରୁ ୧୨ କୋଟି ମାତ୍ରା ଟିକା ଉତ୍ପାଦନ କରାଯିବ । ସରକାରୀ ନୀତି ଅନୁସାରେ ଉତ୍ପାଦିତ ଟିକାର ବୃହତ ଭାଗ ସରକାରଙ୍କୁ ପ୍ରଦାନ କରାଯିବ। ଏହାକୁ ସରକାର ସାର୍ବଜନୀନ ମାଗଣା ଟିକାକରଣ ପାଇଁ ବ୍ୟବହାର କରିପାରିବେ । ତେବେ ଉତ୍ପାଦିତ ଟିକାର କିଛି ଅଂଶ ସ୍କୁଲ, କଲେଜ ଓ ଘରୋଇ ସଂଗଠନମାନଙ୍କୁ ପ୍ରଦାନ କରାଯିବ । ସେ କହିଛନ୍ତି ଯେ ବୟସ୍କ ଲୋକମାନଙ୍କ ପରି ୧୨ରୁ ୧୮ ବର୍ଷ ବୟସର କିଶୋର କିଶୋରୀମାନଙ୍କୁ ମଧ୍ୟ ୩ଟି ମାତ୍ରା ଟିକା ନେବାକୁ ପଡ଼ିବ । ପ୍ରାୟ ୧୪ ଶହ ପିଲାଙ୍କ ଶରୀରରେ କରାଯାଇଥିବା ପରୀକ୍ଷଣରୁ ଜଣାପଡ଼ିଛି ଯେ ଏହି ଟିକା ପିଲାମାନଙ୍କ ଶରୀରରେ ନିରାପଦ ଓ ଫଳପ୍ରଦ । ସୂଚନା ଯେ, ଭାରତୀୟ ଔଷଧ ମହାନିୟନ୍ତ୍ରକ ଶୁକ୍ରବାର ଏହି ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଥିଲେ ।
