ହୋର୍ଡିଂ ଟାୱାର ଉପରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
ଭୁବନେଶ୍ବର: ଭୁବନେଶ୍ୱର ଶିଶୁଭବନ ଛକରେ ଅଭାବନୀୟ ଘଟଣା । ବୁଧବାର ସକାଳୁ ସକାଳୁ ସେଠାରେ ଥିବା ଟାଓ୍ୱାର ଉପରେ ଚଢି ଜଣେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ୪୦ ଫୁଟ ଉଚ୍ଚ ହୋର୍ଡିଂ ଟାଓ୍ବାର ଉପରେ ଚଢି ଯୁବକ ଜଣକ ବେକରେ ଜିଆଇ ତାର ଗୁଡାଇ ଆତ୍ମହତ୍ୟା ଉଦ୍ୟମ କରୁଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଅଧଘଣ୍ଟାର ରେସ୍କ୍ୟୁ ଅପରେସନ ପରେ ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଯୁବକ ଜଣକ ଘର ବାଲେଶ୍ୱର ଜିଲା ସୋର ଅଞ୍ଚଳର ଟୁଲୁ ପାତ୍ର ବୋଲି ଜଣାପଡିଛି । ଉଦ୍ଧାର କରି ତାଙ୍କୁ ତଳକୁ ଅଣାଯିବା ପରେ ସେ ଡ୍ରାଇଭର ମହାସଂଘ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ଡ୍ରାଇଭର ମହାସଂଘ ତାଙ୍କୁ ମାନସିକ ନିର୍ଯାତନା ଦେବା ସହ ତାଙ୍କ ପରିବାର ଲୋକଙ୍କୁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ଯୁବକ। ଡ୍ରାଇଭର ମହାସଂଘ ଆନ୍ଦୋଳନ ବେଳେ ପୋଲିସକୁ କାହିଁକି ଆକ୍ରମଣ କରାଗଲା ଏବଂ ବିଭିନ୍ନ ସ୍ଥାନରେ ଡ୍ରାଇଭରମାନଙ୍କୁ ମାନସିକ ନିର୍ଯାତନା କାହିଁକି ଦିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଡ୍ରାଇଭର ମହାସଂଘ ଧମକ ପରେ ସେ ମାନସିକ ଚାପରେ ଆସି ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ଟୁଲୁ ପ୍ରକାଶ କରିଛନ୍ତି ।
