ନଦୀ ପଠାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
କଟକ : ବିଡାନାସୀ ଥାନା ପୋଲିସ ଆଜି ମହାନଦୀ ଭୁଆଶୁଣୀ ପଠାରୁ ଏକ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରିଛି । ମୃତକ ଯୁବକ ଜଣକର ନାଁ ଆଜାଦ ଯାଦବ(୨୮) ବୋଲି ଜଣାପଡିଛି । ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଉକ୍ତ ବିହାରୀ ଯୁବକ ଆଜାଦ ଗତ ୨୫ ତାରିଖରୁ ଭୁବନେଶ୍ୱରରୁ ନିଖୋଜ ହୋଇଥିଲା । ଏନେଇ ଗତ ୨୬ ତାରିଖରେ ତା ପରିବାର ଲୋକେ ସହିଦନଗର ଥାନାରେ ଏତଲା ଦେଇଥିଲେ ।
ତେବେ ଆଜାଦଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ସେ ଇଣ୍ଟେରିୟର କାମ କରୁଥିଲା । ଗତ କିଛି ଦିିନ ତଳେ ତାଙ୍କୁ କଟକର ଜଣେ ଠିକାଦାର କାମ ପାଇଁ ଡକାଇଥିଲେ । ସେହି ଠିକାଦାରଙ୍କ ନିକଟରେ ଆଜାଦର କିଛି ଟଙ୍କା ବାକି ରହିଯାଇଛି । ଏହି ଟଙ୍କା ଆଣିବା ପାଇଁ ଆଜାଦ କଟକ ଯାଇଥାଇପାରନ୍ତି ବୋଲି ପରିବାର ଲୋକେ କହିଛନ୍ତି । ତେବେ କଟକ ଯାଇ ଆଉ ଆଜାଦ ଘରକୁ ଫେରିନଥିବା ବେଳେ ଆଜି ମହାନଦୀ ପଠାରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ତାଙ୍କର ଶରୀରରେ କୈାଣସି କ୍ଷତି ଚିହ୍ନ ନଥିବା ବେଳେ ମୁଣ୍ଡକୁ ଶକ୍ତ ଆଘାତ କରାଯାଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପୋଲିସ ସନ୍ଦେହ କରୁଛି । ଘଟଣାସ୍ଥଳରେ କଟକ ଡିସିପି ପ୍ରତୀକ ସିଂହ ଓ ସାଇଣ୍ଟିଫିକ ଟିମ୍ ପହଂଚି ସରଜମିନ ତଦନ୍ତ ଆରମ୍ଭ କରିଥିବା ବେଳେ ପାରପାଶ୍ୱର୍ିକ ଅବସ୍ଥାରୁ ଏହା ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ଲାଗି ବଡ ଡାକ୍ତରଖାନାକୁ ପଠାଇଥିବା ଜଣାଯାଇଛି ।
