ବାଲେଶ୍ୱର : ଟଙ୍କା ପାଇଁ ଯୁବକଙ୍କୁ ପଇଡ଼ରେ ଛେଚି ହତ୍ୟା
- ଜେଲ ଗଲେ ଦୁଇ ଅଭିଯୁକ୍ତ
ବାଲେଶ୍ୱର : ବାଲେଶ୍ୱର ସଦର ବ୍ଲକ ବାହାବଳପୁର ସାମୁଦ୍ରିକ ଥାନା ଅନ୍ତର୍ଗତ ମାଛଧରା ଜେଟି ଅଞ୍ଚଳ ରେ ଜଣେ ମତ୍ସ୍ୟଜୀବିଙ୍କୁ ସୋମବାର ରାତିରେ ପଇଡ଼ରେ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଛି । ଟଙ୍କା ଧାର ନଦେବାରୁ ଦୁଇ ନିଶାଡ଼ି ସାଙ୍ଗ ଏହି ହତ୍ୟାକାଣ୍ଡ ଭିଆଇ ଖସି ପଳାଇବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ହାତରେ ଧରାପଡିଛନ୍ତି । ମୃତ ମତ୍ସ୍ୟଜୀବି ହେଲେ ପଶ୍ଚିମବଙ୍ଗ ମୁର୍ଷିଦାବାଦ ଅଞ୍ଚଳ ର ସୁବଳ ମଣ୍ଡଳ (୫୩) । ବାହାବଳପୁର ର ଚନ୍ଦନ ପାତ୍ର ଓ କେନ୍ଦ୍ରାପଡ଼ା ତାଳଚୁଆ ମେରାଇନ ଥାନା ଅଞ୍ଚଳର ସଚିନ ଚୌଧୁରୀ ଦୁଇ ସାଙ୍ଗ ଅଟନ୍ତି । ଏମାନେ ମଦ, ଗଞ୍ଜେଇ, ବ୍ରାଉନସୁଗାର ଆଦି ସେବନ କରି ନିଶାଗ୍ରସ୍ତ ଅବସ୍ଥାରେ ଘୁରିବୁଲନ୍ତି । ସଚିନ ଓ ମୃତ ସୁବଳ ଦୀର୍ଘ ଦିନ ଧରି ଏହି ଜେଟି ରେ ମତ୍ସ୍ୟଜୀବି ଭାବେ ସମୁଦ୍ରରୁ ମାଛ ଧରି ଗୁଜୁରାଣ ମେଣ୍ଟାଇଥାନ୍ତି ।
ସୋମବାର ରାତିରେ ସୁବଳ ପାଖରେ ୭/୮ ହଜାର ଟଙ୍କା ଥିବା ଦେଖି ସଚିନ ଧାର ମାଗିଥିଲା । ସେ ମନା କରିବାରୁ ଜୋର ଜବରଦସ୍ତ ଟଙ୍କାବ୍ୟାଗ ଛଡାଇ ଦୁଇସାଙ୍ଗ ପଳାଇଥିଲେ । ମାତ୍ର ସୁବଳ ସେମାନଙ୍କ ପିଛାକରି ଗୋଡ଼ାଇବାରୁ ବଜାର ନିକଟରେ ସୁବଳର ମୁଣ୍ଡକୁ ସଚିନ ବାଡେଇଥିଲା । ଚନ୍ଦନ ସେଠାରେ ପଡ଼ିଥିବା ଏକ ପଇଡ଼କୁ ଧରି ସୁବଳର ମୁହଁକୁ ଛେଚି ହତ୍ୟା କରିଥିଲା । ଖବର ପାଇ ଆଇଆଇସି ମଧୁମିତା ମହାନ୍ତି ଘଟଣାସ୍ଥଳରେ ପହଞ୍ôଚ ଦୁଇ ଅଭିଯୁକ୍ତ ସଚିନ ଓ ଚନ୍ଦନଙ୍କୁ ଗିରଫ କରିଥିଲେ । ମୁର୍ମୁଷୁ ଅବସ୍ଥାରେ ସୁବଳଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ ହେଁ ଡାକ୍ତର ମୃତବୋଲି ଘୋଷଣା କରିଥିଲେ । ସ୍ଥାନୀୟ ବ୍ୟବସାୟୀ ସପନ କରମା କରଙ୍କ ଅଭିଯୋଗ କୁ ଭିତ୍ତି କରି ପୋଲିସ ଆଇପିସି ୩୦୨ ଦଫା ମୂଳେ ଏକ ମାମଲା (ନଂ ୧୫/୨୧) ରୁଜୁ କରି ମଙ୍ଗଳବାର ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ମୃତଦେହ ବ୍ୟବଚ୍ଛେଦ କରି ପୋଲିସ ତଦନ୍ତ ଜାରିରଖିଛି ।
