ମାସ୍କ କଟକଣା ହଟିନାହିଁ, ଭିଡ଼ ସ୍ଥାନକୁ ଗଲେ ପିନ୍ଧିବାକୁ ଲୋକଙ୍କୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର : କରୋନା ଚତୁର୍ଥ ଲହର ଆସିବା ଚର୍ଚ୍ଚାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ଯେ, ଦିଲ୍ଲୀ, ହରିୟାଣା ଭଳି ରାଜ୍ୟରେ କରୋନା ସଂକ୍ରମଣ ଟିକେ ବଢିଥିଲେ ବି ଓଡ଼ିଶାରେ ସ୍ଥିତି ଭଲ ରହିଛି । କିନ୍ତୁ ମାସ୍କ ପିନ୍ଧିବା କଟକଣା ରହୁ । ଭିଡ଼ ସ୍ଥାନକୁ ଗଲେ ମାସ୍କ ପିନ୍ଧିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ରୁ ୨୦ ମଧ୍ୟରେ ରହୁଛି। ତେଣୁ ସମସ୍ତେ କୋଭିଡ ନିୟମ ପାଳନ କଲେ ରାଜ୍ୟର ସ୍ଥିତି ନିୟନ୍ତ୍ରଣ ରହିବ। ଆବଶ୍ୟକ ସ୍ଥଳେ ଜିଲାପାଳଙ୍କୁ ନୂଆ ରଣନୀତି କରିବାକୁ କୁହାଯାଇଛି । ଏହାସହ ସ୍ୱାସ୍ଥ୍ୟ ବିଭାଗ ସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖିଛି। ଆଗକୁ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ । ବର୍ତ୍ତମାନ କୋରୋନାର ତୀବ୍ରତା ନାହିଁ। ଏହାକୁ ଚତୁର୍ଥ ଲହର କହିହେବ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।
