ଗ୍ରାମବାସୀଙ୍କ ଅନନ୍ୟ ପଦକ୍ଷେପ ! ସରପଞ୍ଚ ପ୍ରାର୍ଥୀଙ୍କୁ ନେଇ ଲିଖିତ ପରୀକ୍ଷା : ୮ ଜଣଙ୍କ ମଧ୍ୟରୁ ୩ ଉତ୍ତୀର୍ଣ୍ଣ
ସୁନ୍ଦରଗଡ଼ : ତ୍ରିସ୍ତରୀୟ ନିର୍ବାଚନ ନେଇ ଗାଁଗଣ୍ଡାରେ ମାହୋଲ ସରଗରମ। ଏହାସହ ଭୋଟ ହାତେଇବା ଓ ଭୋଟରଙ୍କ ମନଜିଣିବା ନେଇ ନାନାଦି କସରତ ଜାରି ରହିଛି ପ୍ରାର୍ଥୀଙ୍କର । ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୀତିର ଘୋଡା ଦୌଡ ଏବେ ଚରମ ସ୍ଥିତିରେ । ଇଲେକ୍ସନକୁ ବିଭିନ୍ନ ଉତ୍ତେଜନାମୂଳକ ଖବର ଠାରୁ ଆରମ୍ଭ କରି ରୋଚକ ଖବର ମାନ ସାମ୍ନାକୁ ଆସୁଛି । ଏପରି ସ୍ଥିତିରେ ଏକ ନିଆରା ଉଦାହରଣ ସୃଷ୍ଟି କରି ଅନ୍ୟ ପଞ୍ଚାୟତ ଓ ଅଞ୍ଚଳ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ୍ର ମାଲୁପଡ଼ାର ଗ୍ରାମବାସୀ। ସରପଞ୍ଚ ପ୍ରାର୍ଥୀମାନଙ୍କୁ ଲୋକେ ଏକ ଲିଖିତ ପରୀକ୍ଷାରେ ବସାଇଛନ୍ତି। ୮ ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେଥିରୁ ୩ ଜଣ ଉତ୍ତୀର୍ଣ୍ଣ ହୋଇଥିବା ଗ୍ରାମବାସୀ ଘୋଷଣା କରିଛନ୍ତି।
କୁତ୍ରା ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ୯ ଜଣ ପ୍ରାର୍ଥୀ। କୁତ୍ରା ବ୍ଲକ୍ ଅନ୍ତର୍ଗତ ମାଲୁପଡ଼ାର ସଚେତନ ଭୋଟରମାନେ ପ୍ରଚାର ପାଇଁ ଆସିଥିବା ପ୍ରାର୍ଥିମାନଙ୍କ ସହିତ ଗାଁର ବିକାଶ ନେଇ ଆଲୋଚନା କରିଥିଲେ। ସେମାନେ ସରପଞ୍ଚ ପ୍ରାର୍ଥିମାନଙ୍କୁ ଏକ ଲିଖିତ ପରୀକ୍ଷାରେ ବସିବାକୁ କହିଥିଲେ। ସେଥିରେ ପରୀକ୍ଷା ଦେଇଥିବା ୮ଜଣ ପ୍ରାର୍ଥୀଙ୍କ ଭିତରୁ ୩ ଜଣ କୃତକାର୍ଯ୍ୟ ହୋଇଥିବା ଗ୍ରାମବାସୀ କହିଛନ୍ତି। ପରୀକ୍ଷାରେ ଥିହା ପ୍ରଶ୍ନପତ୍ରରେ ଥିବା ପ୍ରଶ୍ନଗୁଡ଼ିକ ଏହିପରି ଥିଲା –
(୧) ଆପଣ ସରପଞ୍ଚ ପ୍ରାର୍ଥୀ ହେବାର ୫ ଗୋଟି ଉଦ୍ଦେଶ୍ୟ କଣ?
(୨) ଆପଣ ଯଦି ସରପଞ୍ଚ ଭାବେ ନିର୍ବାଚିତ ହେବେ ଆଗାମୀ ୫ ବର୍ଷ ପାଇଁ କଣ ଲକ୍ଷ୍ୟ ରହିବ?
(୩) ଯଦି ଆପଣ ଲୋକଙ୍କ ସେବା କରିବା ପାଇଁ ଆସିଛନ୍ତି ତା’ହେଲେ ପୂର୍ବରୁ କରିଥିବା ୫ ଗୋଟି ନିଃସ୍ବାର୍ଥ ସେବା କ’ଣ କ’ଣ?
(୪) ଏବେ ଯେମିତି ଘରଘର ବୁଲି ଭୋଟ୍ ମାଗୁଛନ୍ତି ନିର୍ବାଚିତ ହେବା ପରେ ସେହିଭଳି ଘର ଘର ବୁଲି ଲୋକଙ୍କ ସମସ୍ୟା ସମାଧାନ କରିବେ କି?
(୫) ଆପଙ୍କ ସ୍ଵପ୍ନର ଗ୍ରାମପଞ୍ଚାୟତ କିଭଳି ହେବା ଆବଶ୍ୟକ?
(୬) ଆପଣଙ୍କ ଗ୍ରାମ ପଞ୍ଚାୟତରେ କେତୋଟି ଗ୍ରାମ, କେତୋଟି ୱାର୍ଡ ଓ କେତେ ଜନସଂଖ୍ୟା?
(୭) ପୂର୍ବରୁ ଥିବା ସରପଞ୍ଚଙ୍କ ବିଷୟରେ ଲେଖନ୍ତୁ।
ଏହି ପରୀକ୍ଷାରେ ସରପଞ୍ଚ ପଦ ପାଇଁ ଛିଡା ହୋଇଥିବା ୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୮ ଜଣ ଯୋଗ ଦେଇଥିଲେ। ତେବେ ୮ ଜଣଙ୍କ ମଧ୍ୟରୁ ଭୁବନ କୁଜୁର, ଲଳିତା ବରୁଆ ଓ ଫିରୋଜ ଡୁଙ୍ଗଡୁଙ୍ଗ ପାସ୍ କରିଥିବା ଗ୍ରାମବାସୀ ଘୋଷଣା କରିଥିଲେ।
