ବିବାହ ମଣ୍ତପରେ ନୁହେଁ ହସ୍ପିଟାଲରେ ପଡ଼ିଲା ହାତଗଣ୍ଠି
ନୂଆଦିଲ୍ଲୀ : ପ୍ରତ୍ୟେକ ମଣିଷର ଜୀବନରେ ବାହାଘର ଏକ ନିଆରା ଓ ଖୁସିର ଅନୁଭୂତି ଆଣିଦେଇ ଥାଏ। ନିଜ ବାହାଘରକୁ ସ୍ମରଣୀୟ କରିବା ପାଇଁ ଲୋକ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଛାନ୍ତି ନାହିଁ। ବେଳେ ବେଳେ ବିବାହ ସମୟରେ ଏମିତି କିଛି ଘଟଣା ଦେଖିବାକୁ ମିଳିଥାଏ ଯାହା ବାହାଘର ପରି ଖୁସିର ମାହୋଲକୁ ବିଗାଡ଼ି ଦେଇଥାଏ । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନରେ, ଯେଉଁଠି ଝିଅ ଘରକୁ ଯିବା ବଦଳରେ ବରଯାତ୍ରୀ ନେଇ ହସ୍ପିଟାଲରେ ପହଞ୍ଚିଥିଲେ ପୁଅ ଘର । ଆଉ ସେହିଠାରେ ହିଁ ସମ୍ପନ୍ନ ହୋଇଥିଲା ବାହାଘର ।
ସୂଚନା ମୁତାବକ, ରାଜସ୍ଥାନର କୋଟା ସହରସ୍ଥିତ ରାମଗଞ୍ଜ ମଣ୍ଡିର ପଙ୍କଜ ରାଠୋଡ଼ ଓ ରାବତଭାଟାର ମଧୁ ରାଠୋଡଙ୍କ ଗତ ରବିବାର ଦିନ ବିବାହ ହେବାର ଥିଲା। ଉଭୟ ଘରେ ଖୁସିର ମାହୋଲ ଥିଲା। ବାହାଘର ପାଇଁ ଉଭୟଙ୍କ ଘରେ ସମସ୍ତ ପ୍ରସ୍ତୁତି ସରିଥିଲା। ଘରେ ବନ୍ଧୁ ବାନ୍ଧବ ପହଞ୍ଚି ସାରିଥିଲେ। କିନ୍ତୁ ବିବାହ ପୂର୍ବରୁ ଯୁବତୀ ଦୁର୍ଘଟଣାର ଶିକାର ହୋଇଥିଲେ । ସିଡି଼ରୁ ଖସି ପଡି଼ବା ଫଳରେ ତାଙ୍କ ହାତ ଓ ଗୋଡ଼ ଭାଙ୍ଗିଯିବା ସହ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଯୁବତୀଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଖବର ପାଇ ହସ୍ପିଟାଲରେ ପହଁଞ୍ଚିଥିଲେ ବର ପକ୍ଷ । ବିବାହ ତାରିଖ ନଘୁଞ୍ଚାଇ ଉଭୟ ପକ୍ଷର ସହମତିକ୍ରମେ ହସ୍ପିଟାଲରେ ବାହାଘର କରାଇବା ନେଇ ନିଷ୍ପତ୍ତି ନିଆଯାଇଥିଲା । ହସ୍ପିଟାଲ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ପରେ ଏକ ୱାର୍ଡ଼କୁ ବୁକ୍ କରାଯାଇ ସେହିଠାରେ ବିବାହ ମଣ୍ତପ ପ୍ରସ୍ତୁତ କରାଯାଇଥିଲା। ହସ୍ପିଟାଲର ୱାର୍ଡକୁ ସମ୍ପୂର୍ଣ୍ଣ ଫୁଲରେ ସଜାଯାଇଥିଲା। ବିବାହ ଧାର୍ଯ୍ୟ ହୋଇଥିବା ଦିନରେ ପୁଅ ଘର ବରଯାତ୍ରୀ ନେଇ ହସ୍ପିଟାଲରେ ପହଞ୍ଚିଥିଲେ । ସମସ୍ତ ରୀତିନୀତି ଅନୁସାରେ ସେହିଠାରେ ପଡ଼ିଥିଲା ବର କନିଆଁଙ୍କ ହାତଗଣ୍ଠି ।
ଅଧିକ ଲୋକ ପ୍ରବେଶ କରିବା ପାଇଁ ଅନୁମତି ନ ଥିବାରୁ କେବଳ ଉଭୟ ପରିବାର ବର୍ଗଙ୍କର ଉପସ୍ଥିତିରେ ହାତଗଣ୍ଠି ପଡି଼ଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏଭଳି କାମ ପାଇଁ ପଙ୍କଜଙ୍କୁ ପ୍ରଶଂସା ମଧ୍ଯ କରାଯାଉଛି। ତେବେ ଆଉ କିଛି ଦିନ ଯାଏଁ ମଧୁଙ୍କୁ ହସ୍ପିଟାଲରେ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।
