୨୩ ବର୍ଷରୁ କମ୍ ବିଶ୍ବ କୁସ୍ତି ପ୍ରତିଯୋଗିତା : କାଂସ୍ୟ ପଦକ ଜିତିଲେ ସାଜନ ଭନ୍ୱାଲା
ନୂଆଦିଲ୍ଲୀ: ୨୩ ବର୍ଷରୁ କମ୍ ବିଶ୍ବ କୁସ୍ତି ପ୍ରତିଯୋଗିତାରେ ପ୍ରଥମ ଭାରତୀୟ ଗ୍ରିକୋ ରୋମାନ କୁସ୍ତି ଯୋଦ୍ଧା ଭାବେ ଭାରତର ସାଜନ ଭନ୍ୱାଲା କାଂସ୍ୟ ପଦକ ଜିତିଛନ୍ତି। ସ୍ପେନ୍ର ପଣ୍ଟେଭେଦ୍ରାଠାରେ କାଂସ୍ୟ ପ୍ଲେ-ଅଫ୍ ମୁକାବିଲାରେ ସେ ୟୁକ୍ରେନ୍ର ଦିମିତ୍ରୋ ଭାସେସ୍କିଙ୍କୁ ପରାସ୍ତ କରି କାଂସ୍ୟ ପଦକ କରାୟତ କରିଛନ୍ତି।
ଆରମ୍ଭରୁ ଭାସେସ୍କି ୪ ପଏଣ୍ଟ ପାଇ ଅଗ୍ରଣୀ ଥିଲେ। କିନ୍ତୁ ଭନୱାଲା ପ୍ରତ୍ୟାବର୍ତ୍ତନ କରିବା ସହ ଭାସେସ୍କିଙ୍କୁ ଆଉ ସୁଯୋଗ ନଦେଇ ୪ ପଏଣ୍ଟ ହାତେଇଥିଲେ। ପରେ ସେ ଦୁଇ ପଏଣ୍ଟ ହରାଇବାରୁ ରକ୍ଷଣାତ୍ମକ ଖେଳିଥିଲେ। କିନ୍ତୁ ଏଥିରେ ବି ସେ ବିଫଳ ହେବାରୁ ଭାସେସ୍କି ୧୦-୪ରେ ଆଗୁଆ ରହିଥିଲେ। ତେବେ ଭନୱାଲା ପୁଣି ଥରେ ଦୁଇ ପଏଣ୍ଟ ହାତଇେବା ସହ ବାଉଟ୍ର ୩୫ ସେକେଣ୍ଡ ପୂର୍ବରୁ ସ୍କୋର ବରାବର କରିବାରେ ସଫଳ ହୋଇଥିଲେ। ଯଦିଓ ମ୍ୟାଚ ୧୦-୧୦ରେ ସମାପ୍ତ ହୋଇଥିଲା, ହେଲେ ଶେଷ ପଏଣ୍ଟ ଭନୱାଲା ଅର୍ଜନ କରିଥିବାରୁ ତାଙ୍କୁ ବିଜେତା ଘୋଷଣା କରାଯାଇଥିଲା। ପ୍ରତିଯୋଗିତାରେ ଭନୱାଲା ପ୍ରଥମ ମ୍ୟାଚ୍ରେ ୩-୦ରେ ଲିଥୁଆନିଆର ଏଷ୍ଟିସ୍ ଲିଆଉଗମିନାସ ହରାଇଥିଲେ। କିନ୍ତୁ ପ୍ରି-କ୍ବାର୍ଟର ଫାଇନାଲ୍ରେ ମାଲ୍ଡୋଭାର ଆଲେକ୍ଜାନ୍ଦ୍ରିନ୍ ଗୁଟୁଙ୍କଠୁ ପରାସ୍ତ ହୋଇଥିଲେ। ଗୁଟୁ ଫାଇନାଲ୍ରେ ପହଞ୍ଚିବାରୁ ଭନୱାଲା ରିପିଚେଜ୍ ଲଢ଼ିବାର ସୁଯୋଗ ପାଇଥିଲେ। ସେଥିରେ କାଜାଖସ୍ତାନ୍ର ରସୁଲ ଝୁନିସ୍ଙ୍କୁ ୯-୬ରେ ହରାଇ ପଦକ ରାଉଣ୍ଡରେ ପ୍ରବେଶ କରିଥିଲେ।
ଅନ୍ୟପକ୍ଷରେ ୭୨ କେଜି ବର୍ଗ ସେମି ଫାଇନାଲ୍ରେ ବିକାଶ କ୍ରୋଏସିଆର ପାଭେଲ୍ ପୁକଲାଭେକ୍ଙ୍କଠୁ ହାରି କାଂସ୍ୟ ପଦକ ପାଇଁ ଲଢ଼ିବେ। ଜର୍ଜିଆର ଥିଓଡରସ୍ ସୋଟ୍ରିଆଡିସ୍ ଓ ଜାପାନ୍ର ଡାଏଗୋ କୋବାୟାଶିଙ୍କ ମଧ୍ୟରେ ରିପିଚେଜ୍ ଲଢ଼େଇର ବିଜେତାଙ୍କ ସହିତ ବିକାଶ କାଂସ୍ୟ ପାଇଁ ମୁକାବିଲା କରିବେ। ୬୦ କେଜି ବର୍ଗରେ ସୁମିତଙ୍କ ରିପିଚେଜ୍ ରାଉଣ୍ଡ ମ୍ୟାଚ୍ କାଜାଖାସ୍ତାନ୍ର ଓଲ୍ଝାସ୍ ସୁଲତାନଙ୍କ ସହ ହେବ। ୬୭ କେଜି ବର୍ଗରେ ଆଶୁ ଜର୍ଜିଆର ଡିଏଗୋ ଚଖିଭାଜ୍ଦେଙ୍କଠୁ ଯୋଗ୍ୟତା ପର୍ଯ୍ୟାୟରେ ପରାସ୍ତ ହୋଇ ପ୍ରତିଯୋଗିତାରୁ ବାଦ୍ ପଡ଼ିଛନ୍ତି। ସୂଚନା ଯେ, ଭାରତୀୟ କୁସ୍ତି ଖେଳାଳିଙ୍କ ଭିସା ବାତିଲ ହେବା ପରେ କେବଳ ୬ ଜଣ ଗ୍ରିକୋ ରୋମାନ୍ ଖେଳାଳି ସ୍ପେନ୍ ଗସ୍ତ କରିଥିଲେ। ଏମାନଙ୍କ ବାଦ୍ ଦୁଇ ଜଣ ମହିଳା ଓ ଜଣେ ଫ୍ରି ଷ୍ଟାଇଲ୍ ଖେଳାଳି ଭାରତୀୟ ଦଳରେ ସାମିଲ ଅଛନ୍ତି।
