ଭାଇ ବେହଲୋ ହକି ଏକାଡେମୀକୁ ୯-୦ ଗୋଲ୍ରେ ହରାଇଲା ଓଡ଼ିଶା କ୍ରୀଡ଼ା ଛାତ୍ରାବାସ
୧୬ ବର୍ଷରୁ କମ୍ ଖେଲୋ ଇଣ୍ଡିଆ ବାଳିକା ହକି ଲିଗ୍
ଭୁବନେଶ୍ବର: ଲକ୍ଷ୍ନୌରେ ଚାଲଥିବା ୧୬ ବର୍ଷରୁ କମ୍ ଖେଲୋ ଇଣ୍ଡିଆ ବାଳିକା ହକି ଲିଗ୍ (ଫେଜ୍-୨)ରେ ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ୯-୦ ଗୋଲ୍ରେ ଭାଇ ବେହଲୋ ହକି ଏକାଡେମୀକୁ ପରାସ୍ତ କରିଛି । ଏଥିସହ ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ନିଜର ଚତୁର୍ଥ ବିଜୟ ପାଇଛି।
ଓଡ଼ିଶା ଛାତ୍ରାବାସ ପକ୍ଷରୁ ଅର୍ଚ୍ଚନା ଖାଲ୍କୋ (୨, ୪, ୪୯ ମିନିଟ୍) ଏବଂ ମୋନିକା ତିର୍କି (୬, ୫୬, ୬୦ ମିନିଟ୍) ହ୍ୟାଟ୍ରିକ ଅର୍ଜନ କରିଥିଲା ବେଳେ ସୁଶ୍ମିତା ଡୁଙ୍ଗଡୁଙ୍ଗ (୧୩ ମିନିଟ୍), ଅଧିନାୟିକା ଅମିଷା ଏକ୍କା (୪୦ ମିନିଟ୍) ଏବଂ କନିକା କେର୍କେଟା (୫୩ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଏହି ପ୍ରତିଯୋଗିତାରେ ୪ ବିଜୟ ଓ ଗୋଟିଏ ଅମୀମାଂସିତ ସହ ଅପରାଜେୟ ଓଡ଼ିଶା ଛାତ୍ରାବାସ ଗୁରୁବାର ଗ୍ରୁପ୍-ଏ’ ଶୀର୍ଷ ସ୍ଥାନ ହାସଲ ଲକ୍ଷ୍ୟରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଏ’ ଦଳକୁ ଭେଟିବ।
ବୁଧବାର ଅନ୍ୟ ଏକ ମ୍ୟାଚ୍ରେ ଗ୍ରୁପ୍-ବିରେ ସ୍ଥାନ ପାଇଥିବା ଓଡ଼ିଶା ନାଭାଲ ଟାଟା ହକି ଉଚ୍ଚ ଗୁଣବତ୍ତା କେନ୍ଦ୍ର (ଏଚ୍ପିସି) ୭-୦ ଗୋଲ୍ରେ ଗୁଜରାଟ କ୍ରୀଡ଼ା ପ୍ରାଧିକରଣକୁ ହରାଇଥିଲା। ଓଡ଼ିଶା ନାଭାଲ ଟାଟା ହକି ଏଚ୍ପିସି ପକ୍ଷରୁ ନିର୍ମଳା ସେଁବର (୨, ୫୭ ମିନିଟ୍) ଓ ଡଲି ଭୋଇ (୬, ୫୩ ମିନିଟ୍) ଦୁଇଟି ଲେଖାଏଁ ଏବଂ ନିହାରିକା ଟପ୍ପୋ (୩୯ ମିନିଟ୍), ଦ୍ରୁପତି ନାଏକ (୪୫ ମିନିଟ୍) ଓ ସାନାଦମ ବେବିରାଣୀ (୪୮ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ।
