ଋତୁରାଜ ଗାଏକୱାଡଙ୍କ ବିଶ୍ବ ରେକର୍ଡ, ଗୋଟିଏ ଓଭରରେ ମାରିଲେ ୭ ଛକା
ଅହମ୍ମଦାବାଦ: ଯୁବ ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଏକୱାଡଙ୍କ ବିଶ୍ବ ରେକର୍ଡ । ମହାରାଷ୍ଟ୍ରର ଏହି ବ୍ୟାଟ୍ସମ୍ୟାନ୍ ବିଜୟ ହଜାରେ ଟ୍ରଫିର ଉତ୍ତର ପ୍ରଦେଶ ବିପକ୍ଷ ମ୍ୟାଚରେ ଗୋଟିଏ ଓଭରରେ ୭ଟି ଛକା ମାରି ବିଶ୍ବ ରେକର୍ଡ କରିଛନ୍ତି । ସୀମିତ ଓଭର କ୍ରିକେଟ୍ ରେ ଏହି ବିରଳ ମାଇଲଖୁଣ୍ଟ ହାସଲ କରିବାରେ ସେ ହେଉଛନ୍ତି ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍ । ନରେନ୍ଦ୍ର ମୋଦୀ ଷ୍ଟାଡିୟମ-୨ରେ ଖେଳାଯାଇଥିବା ଏହି ମ୍ୟାଚରେ ମହାରାଷ୍ଟ୍ର ଇନିଂସର ୪୯ ତମ ଓଭରରେ ଗାଏକୱାଡ ଏହି କୀର୍ତ୍ତୀମାନ ହାସଲ କରିଥିଲେ ।
ସୋମବାର ଦିନ ବିଜୟ ହଜାରେ ଟ୍ରଫିର କ୍ୱାଟର ଫାଇନାଲ୍ ମ୍ୟାଚ୍ ମହାରାଷ୍ଟ୍ର ଓ ଉତରପ୍ରଦେଶ ମଧ୍ୟରେ ଚାଲିଥିଲା । ମହାରାଷ୍ଟ୍ର ପ୍ରଥମେ ବ୍ୟାଟିଂ କରି ୫ ୱିକେଟ୍ ହରାଇ ୫୦ ଓଭରରେ ୩୩୦ ରନ୍ର ବିଶାଳ ସ୍କୋର କରିଥିଲା । ଏହି ମ୍ୟାଚ୍ରେ ଅଧିନାୟକ ଋତୁରାଜ ଗାଏକ୍ୱାଡ୍ ମାତ୍ର ୧୫୯ ବଲ୍ରେ ଖେଳିଥିଲେ ୨୨୦ ରନ୍ର ବିସ୍ଫୋରକ ଇନିଂସ । ଏହି ଇନିଂସରେ ଋତୁରାଜ୍ ୧୦ଟି ଚୋକା ଏବଂ ୧୬ଟି ଛକ୍କା ମାରିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି କି ମ୍ୟାଚ୍ର ଗୋଟିଏ ଓଭରରେ ଋତୁରାଜ୍ ୭ଟି ଛକ୍କା ମାରିଛନ୍ତି । ତାହା ପୁଣି ମ୍ୟାଚ୍ର ୪୯ ତମ ଓଭରରେ । ୨୫ ବର୍ଷୀୟ ଋତୁରାଜ ଇନିଂସର ୪୯ ତମ ଓଭରରେ ମୋଟ ୪୩ ରନ୍ କରିଥିଲେ, ଏଥିରେ ୭ଟି ଛକା ରହିଛି । ଉତର ପ୍ରଦେଶ ଟିମ୍ ପକ୍ଷରୁ ଶିବା ସିଂହ ବୋଲି କରୁଥିଲେ, ଶେଷ ଓଭରରେ ଗୋଟିଏ ନୋବଲ୍ ମଧ୍ୟ ଥିଲା, ଏଭଳି କରିଥିବା ଋତୁରାଜ ଦୁନିଆର ପ୍ରଥମ ବ୍ୟାଟସମ୍ୟାନ୍ ହୋଇଛନ୍ତି । ସେହିପରି ଏହି ମ୍ୟାଚ୍ରେ ଋତୁରାଜ୍ ଗାଏକ୍ୱାଡ୍ଙ୍କ ବ୍ୟତୀତ ମହାରାଷ୍ଟ୍ରର ଅନ୍ୟ କୌଣସି ବ୍ୟାଟସମ୍ୟାନ୍ ଭଲ ଇନିଂସ ଖେଳିପାରିନଥିଲେ । କେବଳ ଦୁଇ ଜଣ ବ୍ୟାଟର ୩୭-୩୭ ରନ୍ କରିଥିବା ବେଳେ ଅନ୍ୟ ବ୍ୟାଟସମ୍ୟାନ୍ ଭଲ ସ୍କୋର କରିପାରିନଥିଲେ । ମ୍ୟାଚ୍ରେ ଖୁବ ମହଙ୍ଗା ହୋଇଥିଲା ୟୁପି ବୋଲର । ଖାସ୍ କରି ୟୁପିର ବୋଲର ଶିବ ସିଂହ ୯ ଓଭର ବୋଲିଂ କରି ୮୮ ରନ୍ ଖର୍ଚ୍ଚ କରିଥିଲେ । ଯିଏକି ମ୍ୟାଚ୍ରେ ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।
ଗୋଟିଏ ଓଭରରେ ୭ ଛକା ମାରି ଗାଏକ୍ୱାଡ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି । ପୂର୍ବରୁ ସାର ଗାରିଫିଲ୍ଡ ସୋବର୍ସ, ରବି ଶାସ୍ତ୍ରୀ, ହରସେଲ ଗିବ୍ସ, ଯୁବରାଜ ସିଂହ, ରସ ହ୍ୱାଇଟଲୀ, ହଜରତୁଲ୍ଲା ଜଜାଇ, ଲେଓ କାରଟେର, କାଏରନ ପୋଲାର୍ଡ ଓ ତିସାରା ପେରେରା ୬ ବଲରେ ୬ଟି ଲେଖାଏ ଛକା ମାରିଥିଲେ । କିନ୍ତୁ ଗାଏକ୍ୱାଡ ଗୋଟିଏ ଓଭରରେ ୭ ଛକା ମାରିଛନ୍ତି । ଋତୁରାଜ ଗାଏକ୍ୱାଡ ମହାରାଷ୍ଟ୍ରର ପ୍ରଥମ ବ୍ୟାଟର ଯିଏ ଲିଷ୍ଟ ଏରେ ଦ୍ୱିଶତକ ହାସଲ କରିଛନ୍ତି । ସେ ଅପରାଜିତ ୨୨୦ ରନର ଇନିଂସ ଖେଳି ଲିଷ୍ଟ ଏରେ ଦ୍ୱିଶତକ ହାସଲ କରିଥିବା ୧୧ତମ ଖେଳାଳି ବନିଛନ୍ତି । ରୋହିତ ଶର୍ମାଙ୍କ ଗୋଟିଏ ମ୍ୟାଚ୍ରେ ୧୬ଟି ଛକା ମାରିବା ରେକର୍ଡର ମଧ୍ୟ ସମକକ୍ଷ ହୋଇଛନ୍ତି ଗାଏକ୍ୱାଡ । ଲିଷ୍ଟ ଏ କ୍ରିକେଟର ଗୋଟିଏ ଓଭରରେ ବ୍ୟାଟରୁ ୪୨ ରନ ବାହାର କରିବାର ବିରଳ ରେକର୍ଡ ମଧ୍ୟ ସେ କରିଛନ୍ତି ।
