ବିଶ୍ୱ ରେଡିଓ ଦିବସ! ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ
ପୁରୀ : ଆଜି ବିଶ୍ୱ ରେଡିଓ ଦିବସ। ଏହି ଅବସରରେ ବାଲୁକା ଚିତ୍ରକଳାରେ ରେଡିଓ ଦିବସର ଶୁଭେଚ୍ଛା ଜଣାଇଲେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ଆକର୍ଷଣୀୟ ବାଲୁକା ଚିତ୍ରକଳା ତିଆରି କରିଛନ୍ତି। ରେଡ଼ିଓ ଆଜିବି ଯୋଗାଯୋଗ ନଥିବା ଦୁର୍ଗମ ଅଞ୍ଚଳରେ ସମସ୍ତଙ୍କ ସୂଚନା ପାଇବାରେ ବିଶ୍ୱସ୍ତ ଓ ଭରସା ଯୋଗ୍ୟ ମାଧ୍ୟମ ହୋଇ ଥିବା ଏହି ବାଲୁକା ଚିତ୍ରକଳା ମାଧ୍ୟମରେ ସେ ଦର୍ଶାଇଛନ୍ତି।
ବୈଦ୍ୟୁତିକ ଗଣମାଧ୍ୟମ ଓ ବୈଦ୍ୟୁତିକ ମନୋରଞ୍ଜନ ତୁଳନାରେ ସବୁଠାରେ ସବୁ ପରିସ୍ଥିତିରେ ସବୁ ସ୍ଥାନରେ ପହଞ୍ଚି ଅଗଣିତ ଶ୍ରୋତାଙ୍କ ବିଶ୍ୱାସ ଭାଜନ ଓ ପ୍ରିୟ ହୋଇପାରିଛି ଏହି ରେଡ଼ିଓ । ଚାଷୀ, ମୂଲିଆ, ଦୈନିକ ମଜୁରିଆ ଶ୍ରେଣୀର ଲୋକଙ୍କ ପାଇଁ ରେଡ଼ିଓ ମନୋରଞ୍ଜନର ଏକ ମୁଖ୍ୟ ମାଧ୍ୟମ । ଆଉ ଏହା ମଧ୍ୟ ପରମ୍ପରା ସହିତ ଯୋଡି ହୋଇରହିଛି । ବିନା ବିଜୁଳିରେ ଚାଲୁଥିବାରୁ ଏହା ବିଭିନ୍ନ ବିପର୍ଯ୍ୟୟ ସମୟରେ ମଧ୍ୟ ଏହାର ଆବଶ୍ୟକତା ଢେର ଅଧିକ ଥାଏ । ସେହିପରି ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ ନଥିବା ଯୋଗୁଁ ମୋବାଇଲ, ଟିଭି ଫେଲ ମାରୁଥିବା ବେଳେ ରେଡ଼ିଓ କିନ୍ତୁ ସ୍ରୋତଙ୍କ ସହିତ ଯୋଗାଯୋଗ ବଜାୟ ରଖିଛି । ଏବେ କମ୍ୟୁନିଟି ରେଡ଼ିଓର ଚାହିଦା ଆଜିକାଲି ଢେର ବଢିଛି । ବର୍ତ୍ତମାନ ଡିଜିଟାଲ ଯୁଗରେ ମଧ୍ୟ ଯୁବ ପିଢ଼ିର ମୋବାଇଲରେ ଓ ଗୃହିଣୀ ମାନଙ୍କ ଘରେ ଥିବା ଏଲିଡି ଟିଭିରେ ରେଡ଼ିଓ ଶୁଣିବାର ସଉକ ଖୁବ୍ ରହିଛି । ତେବେ ସ୍ପାନିଶ୍ ରେଡ଼ିଓ ଏକାଡେମୀର ପ୍ରସ୍ତାବ ଓ ଜାତିସଂଘର ଅନୁମୋଦନ କ୍ରମେ ୨୦୧୨ରୁ ପ୍ରତିବର୍ଷ ଫେବ୍ରୁଆରୀ ୧୩ତାରିଖକୁ ବିଶ୍ଵ ରେଡ଼ିଓ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ପୁରୀ ସମୁଦ୍ର ବେଳାଭୂମିରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ନିର୍ମାଣ କରିଛନ୍ତି ଏକ ସୁନ୍ଦର ବାଲୁକା ଚିତ୍ରକଳା ।
