ଆଜି ବିଶ୍ଵପ୍ରସିଦ୍ଧ ରଥଯାତ୍ରା : ରଥ ପ୍ରସ୍ତୁତ… ପଥ ବି ପ୍ରସ୍ତୁତ…
ପୁରୀ : ଆଜି ବିଶ୍ଵପ୍ରସିଦ୍ଧ ରଥଯାତ୍ରା । ସିଂହଦ୍ଵାରରେ ପ୍ରସ୍ତୁତ ହୋଇ ରହିଛନ୍ତି ତିନି ରଥ ତାଳଧ୍ୱଜ, ଦେବଦଳନ ଆଉ ନନ୍ଦିଘୋଷ । କେବଳ ଶ୍ରୀଜିଉମାନଙ୍କ ଆଗମନକୁ ଅପେକ୍ଷା । ଭାବର ଠାକୁର ସିଏ ଭାବ ବିନୋଦିଆ । ଭଗବାନଙ୍କ ପାଇଁ ଭାବବିହ୍ବଳ ଭକ୍ତ ମନ । ଚକାନୟନ ସହିତ ନୟନ ମିଶାଇବାକୁ ଉଚ୍ଛନ୍ନ ହେଲାଣି ଭକ୍ତର ମନ । ବଡ଼ଦାଣ୍ଡରେ ଭକ୍ତ-ଭଗବାନଙ୍କ ମିଳନ ଦେଖିବ ସାରା ଜଗତ । ସିଂହ ଦ୍ବାର ସାମ୍ନାରେ ପ୍ରସ୍ତୁତ ହୋଇ ରହିଛନ୍ତି ତିନି ରଥ । ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ । କେବଳ ଅପେକ୍ଷା ମହାପ୍ରଭୁଙ୍କ ଆଗମନକୁ । କେମିତି ନିଜର ପ୍ରିୟର ଠାକୁରଙ୍କୁ ଟିକେ ଆଖି ପୂରାଇ ଦେଖିବ ଭକ୍ତ । କେମିତି ତାଙ୍କ ସହ ଭାବର ଆଦାନ ପ୍ରଦାନ କରିବ । କେମିତି ତା’ ମନରେ ଥିବା ସବୁ ଦୁଃଖକୁ ଜଣାଇବ । ସେଥି ପାଇଁ ବ୍ୟାକୁଳ ହେଲାଣି ଭକ୍ତର ହୃଦୟ । ଅନବସର ନୀତି ପାଇଁ ଭକ୍ତଙ୍କ ଠାରୁ ଦୂରେଇ ଯାଇଥିଲେ ଜଗନ୍ନାଥ ।
ଆଜି ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । ସକାଳ ୬ଟାରେ ମଙ୍ଗଳ ଆଳତି । ସକାଳ ୮ଟାରୁ ୯ଟା ଭିତରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ । ୯ଟାରେ ରଥ ପ୍ରତିଷ୍ଠା । ସକାଳ ୯ଟା ୩୦ରେ ଠାକୁରଙ୍କ ପହଣ୍ଡି ଆରମ୍ଭ ହେବ । ମଧ୍ୟାହ୍ନ ୧୨ଟା ୩୦ ସୁଦ୍ଧ ସରିବ ପହଣ୍ଡି । ୨ଟା ୩୦ରୁ ୩ଟା ୩୦ ଭିତରେ ତିନି ରଥରେ ଛେରା ପହଁରା କରିବେ ଗଜପତି ମହାରାଜ । ଅପରାହ୍ଣ ୪ଟାରେ ହେବ ରଥ ଟଣା । ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ନବ ଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା କରିବେ ମହାପ୍ରଭୁ ଜଗନ୍ନାଥ । ମହାପ୍ରଭୁଙ୍କ ମାନବୀୟଲୀଳା ଦେଖିବ ସାରା ବ୍ରହ୍ମାଣ୍ଡ ।
ସେପଟେ ଗତ ସୋମବାର ଶ୍ରୀମନ୍ଦିରରେ ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧାମୂରତି । ୧୫ଦିନର ଅନବସର ପରେ ବିଶ୍ବ ନିୟନ୍ତାଙ୍କ ଦର୍ଶନ ପାଇ ଆତ୍ମବିଭୋର ହୋଇଉଠିଛି ଭକ୍ତ ମନ । ନିଜ ପ୍ରାଣର ଠାକୁରଙ୍କୁ ଟିକେ ମନ ପୂରାଇ ଦେଖିବାକୁ ଶ୍ରୀମନ୍ଦିରରେ ଲାଗିଥିଲା ଭକ୍ତଙ୍କ ଭିଡ଼ । କାହିଁ କେତେ ଦୂରରୁ ଶ୍ରୀକ୍ଷେତ୍ରକୁ ଛୁଟି ଆସିଛନ୍ତି ଭକ୍ତ । ସୋମବାର ସକାଳ ୮ଟାରୁ ୯ଟା ପରମାଣିକ ଦର୍ଶନ ଓ ୯ଟାରୁ ୧୧ଟା ସାହଣମେଲା ଦର୍ଶନ କରିଥିଲେ ଭକ୍ତ । ଶ୍ରୀମନ୍ଦିରରୁ ପୂଜାପଣ୍ଡା, ସାମନ୍ତମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ରଥଖଳାକୁ ଆସିଥିଲେ । ତିନି ରଥରେ ଆଜ୍ଞାମାଳ ଲାଗି ହୋଇଥିଲା । ଏହା ପରେ ତିନି ରଥକୁ ସିଂହଦ୍ବାର ଅଭିମୁଖେ ଟଣାଯାଇଥିଲା । ଜୟ ଜଗନ୍ନାଥ ଧ୍ବନୀରେ ପ୍ରକମ୍ପିତ ହୋଇଥିଲା ଗଗନ ପବନ । ସୁରକ୍ଷା କର୍ମୀମାନେ ତିନି ରଥକୁ ସିଂହଦ୍ବାରକୁ ଟାଣି ନେଇଥିଲେ । ଖୋଳତାଳ ସଂକୀର୍ତ୍ତନରେ ଉଚ୍ଛୁଳି ଥିଲା ବଡ଼ଦାଣ୍ଡ । ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଟଣାଯାଇଥିଲା । ପରେ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥକୁ ସିଂହଦ୍ବାର ସମ୍ମୁଖକୁ ନିଆଯାଇଥିଲା । ଏବେ ସିଂହଦ୍ବାର ସମ୍ମୁଖରେ ତିନି ରଥ ପ୍ରସ୍ତୁତ ହୋଇ ରହିଛନ୍ତି ।
