ବିଶ୍ୱକପ୍-୨୦୨୩ : ଆଜି ନେଦଲାଣ୍ଡସ୍-ଆଫଗାନିସ୍ତାନ ମୁକାବିଲା, ସେମିଫାଇନାଲ ପାଇଁ ଲଢିବେ ଦୁଇ ଟିମ୍
ଲକ୍ଷ୍ନୌ : ବିଶ୍ୱକପ୍-୨୦୨୩ର ୩୪ତମ ଲିଗ୍ ମୁକାବିଲାରେ ଆଜି ନେଦରଲାଣ୍ଡ୍ସ ଓ ଆଫଗାନିସ୍ତାନ ପରସ୍ପରକୁ ଭେଟିବେ । ସେମି ଫାଇନାଲ୍ରେ ପ୍ରବେଶ କରିବା ପାଇଁ ଉଭୟ ଦଳ ନିକଟରେ ଏବେବି ସୁଯୋଗ ରହିଛି । ତେଣୁ ଉଭୟ ଦଳ ବିଜୟ ପାଇଁ ବାଜି ଲଗାଇ ଦେବେ । ଆଫଗାନିସ୍ତାନ ୬ଟି ମ୍ୟାଚ୍ ଖେଳି ୬ ପଏଣ୍ଟ ହାସଲ କରିଛି । ଶେଷ ୩ଟି ଯାକ ମ୍ୟାଚ୍ ଜିତିଲେ ଆଫଗାନିସ୍ତାନର ପଏଣ୍ଟ ୧୨ରେ ପହଞ୍ଚି ପାରିବ ।
ନେଦରଲାଣ୍ଡ୍ସ ସମାନ ସଂଖ୍ୟକ ମ୍ୟାଚ୍ ଖେଳି ୪ ପଏଣ୍ଟ ଅର୍ଜନ କରିଛି । ଆଗକୁ ଦଳ ୩ଟି ମ୍ୟାଚ୍ ଖେଳିବ । ଫଳରେ ୧୦ ପଏଣ୍ଟ ଅର୍ଜନ କରିବା ପାଇଁ ନେଦରଲାଣ୍ଡ୍ସ ନିକଟରେ ସୁଯୋଗ ରହିଛି । ଇଂଲଣ୍ଡ, ପାକିସ୍ତାନ ଓ ଶ୍ରୀଲଙ୍କାକୁ ହରାଇବା ପରେ ଆଫଗାନିସ୍ତାନର ମନୋବଳ ଦୃଢ ରହିଛି । ଆଜି ବି ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଦଳ ପ୍ରସ୍ତୁତ ।
ଦଳରେ ରସିଦ ଖାନ ଓ ମୁଜିବ ଉର ରେହମାନଙ୍କ ଭଳି ପ୍ରସିଦ୍ଧ ସ୍ପିନର ରହିଥିବାରୁ ଆଫଗାନିସ୍ତାନର ବିଜୟ ସମ୍ଭାବନା ଢେର ଅଧିକ । ମୁଜିବ ଗୋଟିଏ ୱିକେଟ୍ ନେଲେ ୧୦୦ଦିନିକିଆ ୱିକେଟ୍ କ୍ଲବ୍ରେ ସ୍ଥାନ ପାଇବେ । ଆଫଗାନିସ୍ତାନର ଚତୁର୍ଥ ବୋଲର ଭାବେ ସେ ଏହି ସଫଳତା ଅର୍ଜନ କରିବେ । ବ୍ୟାଟିଂ ବିଭାଗ ମଧ୍ୟ ଫର୍ମରେ ରହିଛି । ମଧ୍ୟକ୍ରମ ବ୍ୟାଟର ରହମତ ଶାହ ୯୫ରନ୍ କଲେ ୪୦୦୦ ଦିନିକିଆ ରନ୍ ପୂରଣ କରିବେ ।
ନେଦରଲାଣ୍ଡ୍ସ ମଧ୍ୟ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶକୁ ହରାଇ ସାରିଛି । ତେଣୁ ଆଫଗାନିସ୍ତାନକୁ ହରାଇବା ଭଳି କ୍ଷମତା ଦଳ ନିକଟରେ ରହିଛି । ଅଧିନାୟକ ସ୍କଟ୍ ଏଡୱାର୍ଡ୍ସ ଆଫଗାନିସ୍ତାନ ବିପକ୍ଷରେ ୩ଟି ମ୍ୟାଚ୍ ଖେଳିଛନ୍ତି ଓ ପ୍ରତ୍ୟେକ ମ୍ୟାଚ୍ରେ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି । ଆଫଗାନିସ୍ତାନ ଏକାଦଶରେ ପରିବର୍ତ୍ତନ କରିବା ଆଶା କରାଯାଉଛି ।
ପେସ୍ ବୋଲର ନବୀନ ଉଲ-ହକ୍ଙ୍କ ସ୍ଥାନରେ ଲେଗ ସ୍ପିନର ନୁର ଅହମ୍ମଦଙ୍କୁ ସୁଯୋଗ ମିଳିପାରେ । ପାକିସ୍ତାନ ବିପକ୍ଷରେ ସେ ୩ଟି ୱିକେଟ୍ ନେଇଥିଲେ । ନେଦରଲାଣ୍ଡ୍ସ ଏକାଦଶ ଅପରିବର୍ତ୍ତିତ ରଖିବ । ଲକ୍ଷ୍ନୌ ପିଚ୍ ମନ୍ଥର ରହିବ । ସ୍ପିନରମାନେ ଏହି ପିଚରେ ସଫଳ ହେବେ ବୋଲି ଅନୁମାନ କରାଯାଉଛି । ଫ୍ଲଡ ଲାଇଟ୍ ତଳେ ବ୍ୟାଟିଂ ସହଜ ହେବ । ତେଣୁ ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକପ୍ରକାର ନିଶ୍ଚିତ ।
