ବିଶ୍ବକପ-୨୦୨୩ : ଆଜି ଭାରତ-ଶ୍ରୀଲଙ୍କା ମୁକାବିଲା, ସେମିଫାଇନାଲ ଲକ୍ଷ୍ୟରେ ଭାରତ
ନୂଆଦିଲ୍ଲୀ : ବିଶ୍ବକପ-୨୦୨୩ରେ ଆଜି ଭାରତ-ଶ୍ରୀଲଙ୍କା ମୁକାବିଲା । ମୁମ୍ବାଇର ୱାଙ୍ଖଡେରେ ଏହି ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ଜିତି ସେମିଫାଇନାଲରେ ଏଣ୍ଟ୍ରି ମାରିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ । ବର୍ତ୍ତମାନ ସୁଦ୍ଧା ୱାର୍ଲଡ କପରେ ଅପରାଜେୟ ରହିଛି । ୬ଟି ମ୍ୟାଚରୁ ୬ଟିରେ ଜିତିଛି । ଆଜିର ମ୍ୟାଚରେ ବିନା ହାର୍ଦ୍ଦିକରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ପ୍ଲେଇଂ ଇଲେଭେନରେ କୌଣସି ପରିବର୍ତ୍ତନ ହୋଇ ନପାରେ । ପୂର୍ବ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡକୁ ଶହେ ରନରେ ହରାଇଥିବାରୁ ମନୋବଳ ଦୃଢ଼ ରହିଛି । ସମସ୍ତ ଖେଳାଳି ଜବରଦସ୍ତ ଫର୍ମରେ ଅଛନ୍ତି । ରୋହିତ ଶର୍ମା ଓ ଶୁବମନ୍ ଗିଲଙ୍କ ବ୍ୟାଟରୁ ବଡ଼ ଭାଗିଦାରୀ ଆଶା କରାଯାଉଛି ।
ଗତ ମ୍ୟାଚର ତ୍ରୁଟି ସୁଧାରି ବିରାଟଙ୍କ ପାଖରୁ ଆଉ ଗୋଟିଏ ବଡ଼ ଇନିଂସ ଆଶା ରଖିଛନ୍ତି କ୍ରିକେଟ ଫ୍ୟାନ୍ । ଲୋକେଶ ରାହୁଲ, ଶ୍ରେୟସ ଓ ସୂର୍ଯ୍ୟକୁମାର ବି ଭଲ ଫର୍ମରେ ଅଛନ୍ତି । ବୋଲିଂରେ କମାଲ କରୁଛନ୍ତି ଯଶପ୍ରୀତ ବୁମରାହ, ମହମ୍ମଦ ସାମିଲ ଓ ମହମ୍ମଦ ସିରାଜ । ସ୍ପିନ ଦାୟିତ୍ବ ତୁଲାଇବେ କୁଳଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା । ଅନ୍ଯପଟେ ଶ୍ରୀଲଙ୍କା ସେମିଫାଇନାଲ୍ ରେସରେ ରହିବାକୁ ସଂଘର୍ଷ କରୁଛି । ବର୍ତ୍ତମାନ ସୁଦ୍ଧା ଖେଳିଥିବା ୬ଟି ମ୍ୟାଚରୁ ୨ଟି ବିଜୟ ଓ ୪ଟିରେ ହାରିଛି । ୪ ଫଏଣ୍ଟ ସହ ତାଲିକାର ୭ ନମ୍ବର ସ୍ଥାନରେ ରହିଛି ସିଂହଳୀ ବାହିନୀ । ଆଜି ହାରିଲେ ଆହୁରି ପଛକୁ ଚାଲିଯବ ।
୧୨ ବର୍ଷ ପରେ ଭାରତ ଓ ଶ୍ରୀଲଙ୍କା ସେହି ପଡ଼ିଆରେ ମୁକାବିଲା କରିବାକୁ ଯାଉଛନ୍ତି, ଯେଉଁଠି ମହେନ୍ଦ୍ର ସିଂହ ଧୋନିଙ୍କ ବିଶ୍ବକପ୍ ବିଜୟୀ ଛକା ଏବେବି ଅନେକଙ୍କ ମନରେ ସତେଜ ରହିଛି। ୨୦୧୧ ମସିହା ଏପ୍ରିଲ ୨ ତାରିଖର ସେହି ରାତିରେ ଶ୍ରୀଲଙ୍କାର ୨୭୪ ରନ୍କୁ ପିଛା କରି ଭାରତ ୨୮ ବର୍ଷ ପରେ ବିଶ୍ବ ମୁକୁଟ ଜିତିଥିଲା। ଗୁରୁବାର ସେହି ଐତିହାସିକ ୱାଙ୍ଖ୍ଡେ ଷ୍ଟାଡିୟମ୍ରେ ଭାରତୀୟ ଦଳ ସେମିଫାଇନାଲ୍ ପ୍ରବେଶକୁ ନିଶ୍ଚିତ କରିବାକୁ ଶ୍ରୀଲଙ୍କାକୁ ଭେଟୁଛି। କ୍ରମାଗତ ୬ ବିଜୟ ସହ ଚଳିତ ବିଶ୍ବକପ୍ରେ ଏକମାତ୍ର ଦଳ ଭାବେ ଅପରାଜିତ ଥିବା ରୋହିତ ଶର୍ମାଙ୍କ ଦଳ ଏହାକୁ ୭-୦ କରିବାରେ ବିଶେଷ ଅସୁବିଧାରେ ପଡ଼ିବ ନାହିଁ ବୋଲି ବିଶ୍ବାସ କରାଯାଉଛି। କାରଣ ୨୦୧୧ ମସିହାର ଦଳ ଏବଂ ଏବର ଶ୍ରୀଲଙ୍କା ଦଳ ମଧ୍ୟରେ ଅନେକ ପ୍ରଭେଦ ରହିଛି। ସେତେବେଳେ ଦୁଇ ସମତୁଲ ଦଳ ଲଢ଼େଇ କରିଥିଲେ। ଏବେ କିନ୍ତୁ ଶ୍ରୀଲଙ୍କା ସେମିଫାଇନାଲ୍ ଦୌଡ଼ରେ ରହିବାକୁ ସଂଘର୍ଷ କରୁଛି। ଆହତ ଜନିତ ସମସ୍ୟାଠାରୁ ଏକାଠି ଲଢ଼ିବାରେ ମଧ୍ୟ ୧୯୯୬ର ବିଜେତା ଦଳ ଏବେ ସକ୍ଷମ ହୋଇପାରିନାହିଁ। ୬ ମ୍ୟାଚ୍ ଖେଳି ମାତ୍ର ୨ ବିଜୟ ସହ ସିଂହଳୀ ସେନା ଏବେ ‘କର ବା ମର’ ସ୍ଥିତିରେ ରହିଛି।
ଭାରତ ସମ୍ଭାବ୍ୟ ଏକାଦଶ : ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର/ଈଶାନ କିଶନ, କେଏଲ୍ ରାହୁଲ (ୱିକେଟ୍ରକ୍ଷକ), ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡ଼େଜା, ଯଶପ୍ରୀତ୍ ବୁମରା, ମହମ୍ମଦ ସାମି, କୁଲଦୀପ ଯାଦବ, ମହମ୍ମଦ ସାମି/ଶାର୍ଦୁଳ ଠାକୁର।
ଶ୍ରୀଲଙ୍କା ସମ୍ଭାବ୍ୟ ଏକାଦଶ : ପଥୁମ ନିଶଙ୍କା, ଦିମୁଥ କରୁଣାରତ୍ନେ, କୁସାଲ ମେଣ୍ଡିଜ୍ (ୱିକେଟରକ୍ଷକ/ଅଧିନାୟକ), ସଦୀରା ସମରବିକ୍ରମା, ଚରିତ ଅସଲଙ୍କା, ଧନଞ୍ଜୟ ଡି’ସିଲଭା, ଆଞ୍ଜେଲୋ ମାଥ୍ୟୁସ, ମହେଶ ତୀକ୍ଷଣା, କସୁନ ରଜିଥା, ଦୁସ୍ମନ୍ତ ଚାମିରା, ଦିଲସାନ ମଧୁଶଙ୍କା।
