ବିଶ୍ୱ ଆଥଲେଟିକ ଚାମ୍ପିଅନସିପ : ନୀରଜ ଚୋପ୍ରାଙ୍କ ଉପରେ ଭାରତୀୟ କ୍ରୀଡ଼ାପ୍ରେମୀଙ୍କ ନଜର
ନୂଆଦିଲ୍ଲୀ: ଭାରତର ଶ୍ରେଷ୍ଠ କ୍ରୀଡ଼ାବିତ୍ ନୀରଜ ଚୋପ୍ରାଙ୍କ ଉପରେ ସମଗ୍ର ଭାରତୀୟ କ୍ରୀଡ଼ାପ୍ରେମୀଙ୍କ ନଜର ରହିବ। ପ୍ରଥମ ବିଶ୍ବ ପ୍ରତିଯୋଗିତା ଆଶାରେ ଥିବା ଏହି ଅଲିମ୍ପିକ୍ ବିଜେତାଙ୍କ ଇଭେଣ୍ଟ୍ ରବିବାର ସକାଳ ୭ଟା ୦୫ ମିନିଟ୍ରେ ରହିଛି। ଯୋଗ୍ୟତା ପର୍ଯ୍ୟାୟରେ ନୀରଜ ୮୮.୩୯ ମିଟର୍ ଫିଙ୍ଗି ଫାଇନାଲ୍ ଆସିଛନ୍ତି। ଗତବର୍ଷ ଟୋକିଓ ଅଲିମ୍ପିକ୍ସରେ ପ୍ରଥମ ଭାରତୀୟ ଆଥ୍ଲେଟ୍ ଭାବେ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ୮୭.୫୮ ମିଟର୍ ଜାଭଲିନ୍ ଫିଙ୍ଗିଥିଲେ। କିନ୍ତୁ ତିନି ସପ୍ତାହ ତଳେ ଷ୍ଟକ୍ହୋମ ଡାଏମଣ୍ଡ୍ ଲିଗ୍ରେ ନୀରଜ ୮୯.୯୪ ମିଟର୍ ପ୍ରଦର୍ଶନ ସହ ଜାତୀୟ ରେକର୍ଡକୁ ନିଜ ନାମରେ କରିଛନ୍ତି।
ସୂଚନା ଯେ, ଭାରତୀୟ ଜାଭେଲିନ୍ ଥ୍ରୋ ଚାମ୍ପିଅନ୍ ନୀରଜ ଚୋପ୍ରା ୨୦୨୨ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପର ଫାଇନାଲକୁ ପ୍ରଥମ ଥ୍ରୋରେ ୮୮.୩୯ ମିଟର ଥ୍ରୋ ସହ ଉନ୍ନୀତ ହୋଇଛନ୍ତି । ଫାଇନାଲ୍ ପାଇଁ ଅଟୋମେଟିକ୍ କ୍ଲାଲିଫାଏ ହେବା ପାଇଁ ଜଣେ ଖେଳାଳୀଙ୍କୁ ସର୍ବନିମ୍ନ ଦୂରତା ୮୩.୫୦ ମିଟର ଅତିକ୍ରମ କରିବାର ଥିଲା ଏବଂ ନୀରଜ ଅନେକ ଦୂରତା କଭର କରି ଫାଇନାଲରେ ନିଜ ସ୍ଥାନ ପକ୍କା କରିଛନ୍ତି । ଗ୍ରୁପ୍ ଏ’ର ଅନ୍ୟ ପ୍ରତିଯୋଗୀମାନଙ୍କ ମଧ୍ୟରେ ନୀରଜ ଚୋପ୍ରାଙ୍କ ଥ୍ରୋ ସର୍ବୋତ୍ତମ ଥିଲା । କୌଣସି ଖେଳାଳି ତାଙ୍କଠାରୁ ଅଧିକ ଦୂରତା ଅତିକ୍ରମ କରିପାରିନଥିଲେ ।
