ଟ୍ରାକ୍ଟର ଚକା ତଳେ ଚାପି ହୋଇ ଶ୍ରମିକ ମୃତ, ଟାୟାର ଜାଳି ରାସ୍ତା ଅବରୋଧ
ବ୍ରହ୍ମପୁର : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ମୌଳାଭଞ୍ଜା ବ୍ରିଜ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ରବିବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଏକ ଟ୍ରାକ୍ଟର ଚକା ତଳେ ଚାପି ହୋଇ ଜଣେ ଶ୍ରମିକର ମୃତ୍ୟୁ ଘଟିଛି । ମୃତ ଜଣକ ହେଲେ ପୁରୁଣା ମୌଳାଭଞ୍ଜା ଗ୍ରାମର ଉଲା ବେହେରାଙ୍କ ପୁଅ ସାଇବ ବେହେରା । ସେଠାରେ ପରିସ୍ଥିତି ଅଣଆୟତ୍ତ ହେବା ସହ ଚାପା ଉତ୍ତେଜନା ଦେଖାଦେଇଛି । ଅଞ୍ଚଳବାସୀଙ୍କ ଦ୍ବାରା ଟାୟାର ଜାଳି ରାସ୍ତା ଅବରୋଧ କରା ଯାଇଥିବା ଜଣାପଡିଛି ।
ସୂଚନା ଯେ, ସାନଖେମୁଣ୍ଡି ବ୍ଳକ ମୌଳାଭଞ୍ଜା ଗ୍ରାମର ସାଇବ ଶ୍ରମିକ ଭାବେ କାମ କରୁଥିବା ବେଳେ ଆଜି ଟ୍ରାକ୍ଟର ( ଓଡି ୦୭ ଏଜେ ୦୬୭୦) ଯୋଗେ ନିକଟସ୍ଥ ନଦୀରୁ ବାଲି ବୋଝେଇ କରି ଆସି ନିଜ ଗ୍ରାମରେ ଓହ୍ଲାଇଥିଲେ । ତେବେ ଚାଳକ ସାଇବକୁ ନଦେଖି ଗାଡ଼ି ଆଗକୁ ବଢ଼ାଇବା ଫଳରେ ଶ୍ରମିକ ଜଣକ ଚକା ତଳେ ପଡି ଯାଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ତେବେ ସେଠାରେ ଥିବା ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଦିଗପହଣ୍ଡି ପୋଲିସ ଶବ ଜବତ କରିବା ସହ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ରବିବାର ସକାଳେ ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଯିବ ବୋଲି ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସୂଚନା ପ୍ରଦାନ କରିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଟାୟାର ଜାଳି ବିକ୍ଷୋଭ କରାଯାଇଥିବା ସୂଚନା ରହିଛି ।
