ବେଆଇନ୍ ମଦ କାରବାରକୁ ନେଇ ତାତିଲେ ମହିଳା, ଟାୟାର ଜାଳି ରାସ୍ତାରୋକ
ଭଦ୍ରକ : ଭଦ୍ରକ ଜିଲା ଗୁଜିଦରଡା ଫାଣ୍ଡି ଅଧିନ ଆହାରପଦା ଗାଁରେ ବେଆଇନ୍ ମଦ କାରବାରକୁ ନେଇ ତାତିଲେ ମହିଳା। ରାତି ଅଧରେ ଗାଁରେ ବେଆଇନ ମଦ ବିକ୍ରିକୁ ବିରୋଧ କରି ଜଳାପୋଡ଼ା। ମଦ ଦୋକାନ ଭଙ୍ଗାରୁଜା କରିବା ସହ ଟାୟାର ଜାଳି ରାସ୍ତାରୋକ। ପୋଲିସ ପହଞ୍ଚିବାରୁ ପୋଲିସକୁ ମଧ୍ୟ ବିରୋଧ କରିବା ସହ ଅଟକାଇ ଥିଲେ ଲୋକେ।
ସୂଚନା ଯେ, ଆହାରପଦାର ହାତୀ ସାହିରେ ଜଣେ ବ୍ୟକ୍ତି ଦୀର୍ଘଦିନ ଧରି ଚୋରାରେ ମଦ ବିକ୍ରି କରି ଆସୁଛନ୍ତି। ଯାହାଫଳରେ ଗାଁ ପରିବେଶ ନଷ୍ଟ ହେଉଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଵାରମ୍ବାର ଗୁଜିଦରଡା ଫାଣ୍ଡି ଓ ଅବକାରୀ ବିଭାଗକୁ ଜଣାଇଲେ ମଧ୍ୟ ଫଳ ଶୂନ। ସୋମବାର ଏହି ଗାଁରେ ମହିଳା ମାନେ ମଦ ବ୍ୟବସାୟୀ ବେଆଇନ ଭାବରେ ମଦ ରଖିଥିବା କ୍ୟାବିନକୁ ଭାଙ୍ଗିବା ସହ ବିପୁଳ ମଦ ନଷ୍ଟ କରିଥିଲେ। ପୋଲିସ ଗାଁରେ ପହଞ୍ଚି ମହିଳା ମାନଙ୍କୁ ବୁଝାସୁଝା କରିଥିଲା । ହେଲେ ମହିଳା ମାନେ ଏଥିରେ ଉତକ୍ଷିପ୍ତ ହୋଇ ପୋଲିସକୁ ମଧ୍ୟ ଅଟକାଇଥିଲେ। ମହିଳାମାନେ ଆହାରପଦା ଛକରେ ମଦ ଓ ଟାୟାର ଜାଳି ରାସ୍ତାରୋକ ମଧ୍ୟ କରିଥିଲେ । ପରିସ୍ଥିତି ଅଣାୟତ୍ତ ହେଵାରୁ ଘଟଣା ସ୍ଥଳରେ ଗ୍ରାମାଞ୍ଚଳ ଥାନା ଅଧିକାରୀ ନିଜ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କୁ ବୁଝାସୁଝା କରିଥିଲେ । ଏଥିସହ ମଦ ଵେପାରୀଙ୍କୁ ଥାନାକୁ ଉଠାଇ ଆଣି ଅଟକ ରଖିଛି ପୋଲିସ । ଏହାପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ।
