ସ୍ୱାମୀର ଶିଳପୁଆ ମାଡ଼ରେ ସ୍ତ୍ରୀ ମୃତ
ଯାଜପୁର : ଘରୋଇ କଳିରେ କରୁଣ ପରିଣତି । ସ୍ୱାମୀର ଶିଳପୁଆ ମାଡ଼ରେ ସ୍ତ୍ରୀ ମୃତ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର ସହ ତଦନ୍ତ ଜାରି ରଖିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ଶୁଶୁଆ ପଞ୍ଚାୟତ ଇଶ୍ୱରପୁର ଗାଁରେ । ମୃତକ ଜଣକ ହେଲେ ବୀଣାପାଣି ଦାସ ବୋଲି ଜଣାପଡିଛି ।
ସୂଚନା ଯେ, ଇଶ୍ୱରପୁର ଗାଁର ଅଭିରାମ ଦାସଙ୍କ ପୁଅ ଅରୁଣ ଦାସ ଓ ତାଙ୍କ ପତ୍ନୀ ବୀଣାପାଣି ଦାସଙ୍କ ମଧ୍ୟରେ ଅଧିକାଂଶ ସମୟ ଝଗଡ଼ା ଲାଗୁଥିଲା । ପାରିବାରିକ ସମସ୍ୟା ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହିଥିଲା । ଏମିତିକି ଚଳିତ ମାସ ୧୩ତିରଖ ଦିନ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଥିଲା । ଯାହାକୁ ନେଇ ମଙ୍ଗଳପୁର ଥାନା ପୋଲିସ ଅରୁଣଙ୍କୁ ଥାନାରେ ଅଟକ ରଖିଥିଲା । ତେବେ ଅରୁଣ ଥାନାରେ ଲିଖିତ ଭାବେ ସ୍ୱୀକାରୋକ୍ତି ପତ୍ର ଦେବା ପରେ ପୋଲିସ ଛାଡିଥିଲା । ହେଲେ ମଙ୍ଗଳବାର ବିଳମ୍ବିତ ରାତିରେ ପୁଣି ଥରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ଯାହାଫଳରେ ଅରୁଣ ନିଜର ହିତାହିତ ଜ୍ଞାନ ହରାଇଥିଲା ଏବଂ ଘରେ ଥିବା ଶିଳପୁଆରେ ପତ୍ନୀ ବୀଣାପାଣିରୁ ମୁଣ୍ଡକୁ ଛେଚି ଦେଇଥିଲା । ଶେଷରେ ଘଟଣାସ୍ଥଳରେ ହିଁ ବୀଣାପାଣିଙ୍କ ମୃତ୍ୟୁ ହୋଇଥିଲା । ତେବେ ବୀଣାପାଣିଙ୍କ ମୃତ୍ୟୁ ହୋଇଯିବା ଜାଣି ଅରୁଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଘର ଭିତରେ କବାଟ ବନ୍ଦ କରିଥିଲେ । ପଡୋଶୀ ଘଟଣାସଂପର୍କରେ ସୂଚନା ପାଇ ମଙ୍ଗଳପୁର ଥାନାକୁ ଜଣାଇଥିଲେ । ମଙ୍ଗଳପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ୱାମୀ ଅରୁଣ ଦାସଙ୍କୁ କାବୁ କରିଥିଲେ । ଏହାପରେ ଥାନା ଆଣି ପଚରାଉଚରା ଜାରି ରଖିଛନ୍ତି । ସେପଟେ ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।
