ବାରିପଦାରେ ନୂତନ ଭଂଜପୁର ଥାନା ଉଦଘାଟିତ ଭର୍ଚ୍ଚୁଆଲରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ମୋଟ ଥାନା ସଂଖ୍ୟା ୩୩ ରେ ପହଂଚିଲା
ବାରିପଦା : ଆଜି ବାରିପଦା ସହରର ୨ୟ ଭଂଜପୁର ନୂତନ ଥାନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଚ୍ଚୁଆଲ ମୋଡ଼ରେ ଉଦ୍ଘାଟନ କରିଛନ୍ତି । ବାରିପଦା ପରେଡ ପଡିଆ ସ୍ଥିତ ପୁରୁଣା ଜିଲ୍ଲା ପୋଲିସ ଅଫିସ ପରିସର ରେ ଆଜିର ଉଦଘାଟନୀ ଉତ୍ସବରେ ମୟୂରଭଂଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଏସପି ରିଶିକେଶ ଦ୍ୟାନଦେଓ ଖିଲାରୀ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ମରୋଡା ବିଧାୟକ ରାଜକିଶୋର ଦାସ, ବାଙ୍ଗିରିପୋଷୀ ବିଧାୟକ ସୁଦାମ ମାରାଣ୍ଡି, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଉପନଗରପାଳ ସୀମା ଦାସ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ନୂତନ ଉଦଘାଟିତ ଭଂଜପୁର ଥାନାର ଥାନା ଅଧିକାରୀ ଭାବରେ ବିରେନ୍ଦ୍ର କୁମାର ସେନାପତି ନିଯୁକ୍ତ ହୋଇଥିବାର ଜଣାଯାଇଛି । ଭଂଜପୁର ଥାନାର ନୂତନ କାର୍ଯ୍ୟାଳୟ ଗୃହ ବାରିପଦା କାରାଗାରରେ ନିର୍ମାଣ ହେବାକୁ ଥିବା ନୂତନ କୋର୍ଟ କାର୍ଯ୍ୟାଳୟ କୋଠା ପାଖରେ ଏକ ଏକର ଜାଗାରେ ନିର୍ମାଣ ଯୋଜନା ରହିଥିବା ବେଳେ, ନୂତନ ବିଲିଂ ନିର୍ମାଣ ହେବା ପର୍ଯ୍ୟନ୍ତ ଏହା ପୁରୁଣା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଚାଲିବ ବୋଲି ଜଣାଯାଇଛି । ରାଜ୍ୟରେ ୩୬ଟି ନୂତନ ଥାନା ପ୍ରତିଷ୍ଠା ହେବା ନେଇ ଗତ ଅଗଷ୍ଟ ୨୮ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଆଜି ନୂତନ ଥାନା ଉଦଘାଟନ ପରେ ଜିଲ୍ଲାର ମୋଟ ଥାନା ସଂଖ୍ୟା ୩୩କୁ ବୃଦ୍ଧି ପାଇଛି । ବାରିପଦା ଟାଉନଥାନା ବିଭକ୍ତ ହୋଇ ଭଂଜପୁର ଥାନା ଗଠିତ ହୋଇଥିବା ବେଳେ, ୨୦୨୧ ମସିହା ନଭେମ୍ବର ୫ ତାରିଖରେ ଏନେଇ
ବାରିପଦା ଟାଉନ ଥାନା ପକ୍ଷରୁ ରାଜ୍ୟ ଗୃହ ବିଭାଗକୁ ତଥ୍ୟ ପ୍ରଦାନ କରାଯାଇଥିଲା । ନୂତନ ଭଂଜପୁର ଥାନା ଇଲାକା ଭିତରେ ବାରିପଦା ପୌରପାଳିକାର ୨୮ଟି ୱାର୍ଡରୁ ୧, ୨, ୩, ୧୭, ୧୮, ୧୯, ୨୧, ୨୨, ୨୬ ଓ ୨୭ନଂ ୱାର୍ଡ଼ ସହିତ ବେଲଗଡ଼ିଆ, ଷ୍ଟିଲଗୋଲାଇ, ସତ୍ୟସାଇ ଛକ, ବାଘଡ଼ାରୋଡ଼, ଦାରଗାଡ଼ାହି, ରଘୁନାଥପୁର, ମୁର୍ଗାବାଡ଼ି, ଦାମଦୋରପୁର ହୋଇ ଭଂଜପୁର, ଟାଙ୍କି ସାହି, ବୁଢ଼ିଖମାରୀ, ଭୁଗଡ଼ାକଟା, କୁମ୍ଭାରସାହି, ହରିଜନସାହି, ଯମୁନାଦେଇପୁର, ଭଂଜପୁର ରେଳଷ୍ଟେସନ, ବଳରାମପୁର, କଲୋନୀ, ୱାଲିଗଂଜ, ଠାକୁରାଣୀସାହି, ଫରେଷ୍ଟ କଲୋନୀ,ଏଲଆଇସି କଲୋନୀ, ବିଜୟ ରାମଚନ୍ଦ୍ରପୁର, ରଙ୍ଗପ୍ୟାକ୍ରି, ଇନ୍ଦିରାକଲୋନୀ ଓ କଚେରି ସାହି ଆଦି ଅଂଚଳ ରହିଛି । ଏ ଗ୍ରେଡରେ ଥିବା ବାରିପଦା ଟାଉନ ଥାନାରେ ବର୍ଷକୁ ପ୍ରାୟ ୧୨୦୦ରୁ ଉର୍ଦ୍ଧ୍ୱ ମାମଲା ରୁଜୁ ହେଉଥିବା ବେଳେ, ଭଂଜପୁରରେ ନୂତନ ଥାନା କାର୍ଯ୍ୟକାରୀ ହେବା ଦ୍ୱାରା ଟାଉନ ଥାନାର କାର୍ଯ୍ୟଭାର ଯଥେଷ୍ଟ କମିବ ବୋଲି ଜଣାଯାଇଛି ।
