ଆବାସ ଯୋଜନା ହିତାଧିକାରୀ ଚୟନରେ ବଗଡା ପଂଚାୟତରେ ବ୍ୟାପକ ଅନିୟମିତତା
କେନ୍ଦ୍ରାପଡ଼ା : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଚୟନରେ ବଗଡା ପଂଚାୟତରେ ବ୍ୟାପକ ଅନିୟମିତତା ହୋଇଥିବା ଜଣାପଡିଛି । କେନ୍ଦ୍ରାପଡା ବ୍ଲକର ବଗଡା ପଂଚାୟତରେ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ହୋଇଥିବା ପଂଚାୟତର ବହୁ ବିଶିଷ୍ଟ ବ୍ୟକ୍ତି କେନ୍ଦ୍ରାପଡା ବିଡିଓଙ୍କୁ ଲିଖିତ ଭାବେ ଜଣାଇବା ସହ ଏହାର ପ୍ରମାଣ, ଫଟୋ ଆଦି ଦାଖଲ କରିଥିବା ଜଣାପଡିଛି । ଅଭିଯୋଗ ମୁତାବକ ଏହି ପଂଚାୟତର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ମାନଙ୍କ ନାମ ସରକାରଙ୍କ ନିଷ୍ପତି ଅନୁଯାଇ ସର୍ବସାଧାରଣରେ ପ୍ରକାଶ କରାଯାଇ ଥିଲା । ତାଲିକା ଭୁକ୍ତ ହୋଇଥିବା ହିତାଧିକାରୀ ମାନଙ୍କ ମଧ୍ୟରୁ ଅନେକ ପୂର୍ବରୁ ଆବାସ ଯୋଜନା ପାଇଛନ୍ତି । ବହୁ ମହଲା ବିଶିଷ୍ଟ କୋଠାଘର, କେତେକଙ୍କର ପରିବାର ଲୋକେ ସରକାରୀ ଚାକିରୀଆ ଓ ଅନ୍ୟ କେତେକଙ୍କର ବାପାଙ୍କ ନାମରେ ଆବାସ ଯୋଜନା ବଣ୍ଟନ କରାଯାଇ ଥିବା ଜଣାପଡିଛି । ଚିହ୍ନଟ ହୋଇଥିବା ଅନେକ ହିତାଧିକାରୀ ଧନୀ ଓ ସ୍ୱଚ୍ଛଳ ବର୍ଗର ହୋଇଥିବା ବେଳେ ସେମାନଙ୍କୁ ଯୋଜନାରେ ସାମିଲ କରାଯାଇଛି । ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ହୃଦାନନ୍ଦ ବାରିକ, ଉମାକାନ୍ତ ସାହାଣୀ, ହିମାଂଶୁ ଶେଖର ଜେନା, ନୃସିଂହ ଚରଣ ରାଉତ, ଦେବ ପ୍ରସାଦ ପାଣି, ପ୍ରଫୁଲ୍ଲ ରାଉଳ, ପ୍ରମୋଦ କୁମାର ଜେନା ପ୍ରମୁଖ ବହୁ ଗ୍ରାମବାସୀ ଅଭିଯୋଗ କରି ଏହାର ବିଧିବଦ୍ଧ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି I
