ପଲେଇ ପଞ୍ଚାୟତରେ ମନରେଗାରେ ବ୍ୟାପକ ଦୁର୍ନୀତି, ଶ୍ରମିକ ଭାବେ କାମ କରି ମଜୁରୀ ନପାଇବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ପଲେଇ ଗ୍ରାମପଞ୍ଚାୟତର କଣିପଡା ମୈାଜାର ଜର୍ବକାର୍ଡଧାରୀମାନେ ମନରେଗା ପ୍ରକଳ୍ପରେ ଶ୍ରମିକ ଭାବେ କାମ କରି ବର୍ଷାଧିକ କାଳ ଧରି ମଜୁରୀ ପାଇନଥିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିରହିଛନ୍ତି । ୨୦୨୧ମସିହା ଫେବୃୟାରୀମାସ ଠାରୁ ଜୁନମାସ ପର୍ଯ୍ୟନ୍ତ ଅନଶନରେ ବସିଥିବା ଶ୍ରମିକମାନେ ମନରେଗା ଅନ୍ତର୍ଗତ ରଖିଆ ଦଣ୍ଡା ପୋଖରୀ ଖୋଳିବା, ସବଳଙ୍ଗ ବଡ ପୋଖରୀ, ଗୋହରୀ ମୁଣ୍ଡ ରାସ୍ତା କାମ ପ୍ରଭୃତି କାର୍ଯ୍ୟକରି ଏପର୍ଯ୍ୟନ୍ତ ମଜୁରୀ ପାଇନାହାନ୍ତି । ଏସମ୍ପର୍କରେ ଗ୍ରାମରୋଜଗାର ସେବକ, ଗ୍ରାମସାଥୀ, ସରପଞ୍ଚ, ବିଡିଓ ଏବଂ ଜିଲ୍ଲାପାଳଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଅପରପକ୍ଷରେ ଉପରୋକ୍ତ ପ୍ରକଳ୍ପ ଗୁଡିକରେ ମାତ୍ର ୪୦ରୁ ୫୦ଜଣ ଶ୍ରମିକ କାର୍ଯ୍ୟ କରୁଥିବା ବେଳେ ଗ୍ରାମରୋଜଗାର ସେବକ, ଗ୍ରାମସାଥୀ, ପଞ୍ଚାୟତନିର୍ବାହୀ ଅଧିକାରୀ ପ୍ରମୁଖ ଚଞ୍ଚକତା କରି କାମକରିଥିବା ଏହି ଶ୍ରମିକମାନଙ୍କ ବଦଳରେ କାମକରୁନଥିବା କେତେକ ଠକ, ଶଯ୍ୟାଶାୟୀ ଓ ୬୦ବର୍ଷରୁ ଉର୍ଦ୍ଧ୍ୱ ଲୋକମାନଙ୍କ ନାମରେ ବିଲକରି ଅର୍ଥ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ତେଣୁ ଅନଶନକାରୀ ଶ୍ରମିକମାନଙ୍କ ପ୍ରାପ୍ୟ ତୁରନ୍ତ ପ୍ରଦାନ କରାଯିବା ଏବଂ ସେହିଦିନ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ମଜୁରୀ ଉପରେ ସୁଧ ପ୍ରଦାନ ସହିତ କ୍ଷତିପୁରଣ ବାବଦକୁ ୫ହଜାର ଟଙ୍କା ଲେଖାଁଏ ପ୍ରଦାନ କରାଯିବାକୁ ସେମାନେ ଦାବି କରିଛନ୍ତି । ଏଥିସହିତ ବେଆଇନ ଭାବେ କାମ କରିନଥିବା ମିଛ ଶ୍ରମିକଙ୍କ ନାମରେ ଯାଇଥିବା ଅର୍ଥକୁ ଫେରସ୍ତ ଆଣାଯିବା ସହ ଏଭଳି ବେଆଇନ କାର୍ଯ୍ୟ କରିଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ ଫୈାଜଦାରୀ ମାମଲା ରୁଜୁ କରିବାକୁ ଦାବି କରାଯାଇଛି । ବିଜେପି ନେତା ତେଜେଶ୍ୱର ପରିଡାଙ୍କ ନେତୃତ୍ୱରେ ମମତାମୟୀ ସାମଲ, ଶ୍ରମିକ ଘନଶ୍ୟାମ ଯେନା, ନାରାୟଣ ବାରିକ, ବିକାଶ ଯେନା, ଜଗବନ୍ଧୁ ଜେନା, ଖଗେଶ୍ୱର ମଲିକ, ଭରତ ଚନ୍ଦ୍ର ମଲିକ, ରତ୍ନାକର ମଲିକ, ନୃସିଂହ ମଲିକ, ଆଦିତ୍ୟ ରଞ୍ଜନ ମଲିକ, କୃଷ୍ଣ ଚନ୍ଦ୍ର ମଲିକ, ସୁବାସ ଚନ୍ଦ୍ର ମଲିକ, ଗଣେଶ୍ୱର ସେଠୀ, ନିରଞ୍ଜନ ସାହୁ, ମହେନ୍ଦ୍ର ନାଥ ସାହୁ, ନିରଞ୍ଜନ କର ପ୍ରମୁଖ ଅନଶନରେ ବସିରହିଛନ୍ତି । ଉପଜିଲ୍ଲାପାଳ ନିରଞ୍ଜନ ବେହେରା ଅନଶନକାରୀମାନଙ୍କ ଭିତରୁ କେତେକଙ୍କୁ ତାଙ୍କ ଚାମ୍ବରକୁ ଡକାଇ ଆଲୋଚନା କରୁଥିବା ଦେଖାଯାଇଛି । ରିପୋର୍ଟ ଲେଖାଯିବା ବେଳକୁ ଅନଶନକାରୀଙ୍କ ଭିତରୁ କେତେଜଣ ଅସୁସ୍ଥ ହୋଇପଡିବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।
ଗରଦପୁର ଓ ବେଡାରି ସମବାୟ ସମିତିରେ ଦୁର୍ନୀତି ଅଭିଯୋଗ: ସ୍ୱତନ୍ତ୍ର ଅର୍ଡିଟ ସହ ଭିଜିଲାନ୍ସ ତଦନ୍ତ ଦାବି
କେନ୍ଦ୍ରାପଡ଼ା,୯ା୧୨: ଉପକୂଳ ଓଡିଶାର ଶିଳ୍ପ ବିହୀନ କେନ୍ଦ୍ରାପଡା ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ଭାବରେ ପରିଚିତ । ଏହି ଜିଲ୍ଲାର ଶତକଡା ୭୦ ପ୍ରତିଶତ ଲୋକ ନିଜର ଜୀବନ ଜୀବିକା ପାଇଁ ବିଶେଷ ଭାବରେ କୃଷି କ୍ଷେତ୍ର ଉପରେ ନିର୍ଭରଶୀଳ ଅଟନ୍ତି । କେନ୍ଦ୍ରାପଡା ଜିଲ୍ଲାର ବେଡାରି ଓ ଗରଦପୁର ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ କୃଷକମାନଙ୍କୁ ଦିଆଯାଉଥିବା ସରକାରୀ ପ୍ରୋତ୍ସାହନ ଓ ବହୁମୁଖୀ ଯୋଜନାରେ ବ୍ୟାପକ ଦୁର୍ନୀତି ସହିତ କୋଟି କୋଟି ଟଙ୍କା ହରିଲୁଟ ହୋଇଥିବା ନେଇ ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଙ୍ଘର ରାଷ୍ଟ୍ରୀୟ ସଭାପତି ପ୍ରଦୀପ ମିଶ୍ର ସମବାୟ ସମିତି ସମୁହର ରାଜ୍ୟ ନିବନ୍ଧକଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଏଥିସହିତ ବେଡାରି ଓ ଗରଦପୁର ପ୍ରାଥମିକ କୃଷି ସମବାୟ ସମିତିର ସମସ୍ତ ଆର୍ôଥକ କାରବାରର ସ୍ୱତନ୍ତ୍ର ଅଡିଟ କରାଯିବା ସହିତ ଘଟଣାର ଭିଜିଲାନ୍ସ ବିଭାଗ ଦ୍ୱାରା ତଦନ୍ତ କରାଯିବା ଓ ଦୁର୍ନୀତିଗ୍ରସ୍ତ ସମବାୟ ଅଧିକାରୀଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ କେନ୍ଦ୍ରାପଡା ସମବାୟ ସମିତି ସମୁହର ସହକାରୀ ନିବନ୍ଧକଙ୍କ ଅଧିନରେ ଜିଲ୍ଲାର ସମସ୍ତ ପ୍ରାଥମିକ କୃଷି ସମବାୟ ସମିତି ଗୁଡିକ ଲକ୍ଷ ଲକ୍ଷ ଚାଷୀଙ୍କୁ କୃଷିକାର୍ଯ୍ୟ ନିମନ୍ତେ ଋଣ, କୃଷି ବୀମା, କୃଷି ସରଞ୍ଜାମ ଓ ସାର, ବିହନ ଯୋଗାଣ ସମେତ କୃଷି ଉତ୍ପାଦ କ୍ରୟ କରିବା ନିମନ୍ତେ ଦାଇତ୍ୱବଦ୍ଧ ହୋଇଥିବାରୁ ସେହି ଅନୁଷ୍ଠାନକୁ ସରକାରୀ ଅନୁଦାନ ଆସିଥାଏ । କିନ୍ତୁ ପରିତାପର ବିଷୟ ଯେ ସମବାୟ ବିଭାଗର ଅବହେଳା ଓ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଜାଲିଆତି ଓ ଦୁର୍ନୀତିଗସ୍ତ ମନଭାବ ଯୋଗୁଁ ଜିଲ୍ଲାରେ ଚାଷୀକୂଳ ଚରମ ନିର୍ଯ୍ୟାତନା ଭୋଗୁଥିବା ଅଭିଯୋଗ ହୋଇଛି । ପଞ୍ଚାୟତ ସ୍ତରରେ ମଣ୍ଡିର ଅବ୍ୟବସ୍ଥା, ଧାନ କିଣାରେ ହେରଫେର, ଋଣ ପ୍ରଦାନରେ ଜାଲିଆତି ଓ ସାର ଯୋଗାଣରେ ବାଟ ମାରଣା ସହିତ ସମବାୟ ସମିତି ଗୁଡିକ ମାଧ୍ୟମରେ କାର୍ଯ୍ୟକାରୀ ବଳରାମ ଯୋଜନାରେ ଭୂମିହୀନ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ଋଣ ପ୍ରଦାନରେ ବି ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅଧିକାର ଆଇନ ଅନୁସାରେ ସମିତି ସମୁହର ସହକାରୀ ନିବନ୍ଧକ ସମବାୟ ସମିତି ସମ୍ପର୍କିତ ତଥ୍ୟ ପ୍ରଦାନ କରିବାକୁ ଆଇନ ଥିବା ବେଳେ ସେ କୈାଣସି ତଥ୍ୟ ପ୍ରଦାନ କରୁନାହାନ୍ତି । ଏହାଦ୍ୱାରା ଜିଲ୍ଲାର ସମବାୟ ବିଭାଗରେ ହୋଇଥିବା ମହାଦୁର୍ନୀତିକୁ ଘଣ୍ଟ ଘୋଡାଇବା ପାଇଁ ଏହା ଏକ ସୁଚିନ୍ତିତ ପ୍ରୟାସ ବୋଲି ମହାସଙ୍ଘ ଏକ ପ୍ରେସ ବିଜ୍ଞପ୍ତିରେ କହିଛି ।
