ସମ୍ପର୍କର ଡୋରକୁ ମଜଭୁତ କରିଥାଏ ଟେଡି! କାହିଁକି ପାଳନ କରାଯାଏ ଟେଡି ଡେ’, ଜାଣନ୍ତୁ ଏହାର ଇତିହାସ
ଫେବୃଆରୀ ମାସକୁ ପ୍ରେମର ମାସ ଭାବେ ବିବେଚନା କରାଯାଏ । ଏହି ମାସରେ ରୋଜ ଡେ’ଠାରୁ ଆରମ୍ଭ କରି ଭାଲେଣ୍ଟାଇନ୍ସ ଡେ’ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନକୁ ସାରା ବିଶ୍ୱ ଏକ ଉତ୍ସବ ଭଳି ପାଳନ କରିଥାଏ । ରୋଜ ଡେ, ପ୍ରପୋଜ ଡେ’, ଏବଂ ଚକୋଲେଟ୍ ଡେ’ ପରେ ଆସେ ଟେଡି ଡେ’ । ଆପଣ ଜାଣନ୍ତି କି କାହିଁକି ପାଳନ କରାଯାଏ ଟେଡି ଡେ’ । ଜାଣନ୍ତୁ ଏହା ପଛରେ କ’ଣ ରହିଛି ଇତିହାସ । ଟେଡି ଡେ’ ପାଳନ କରିବାର ମୂଳ ଉଦ୍ଦେଶ୍ୟ ହେଉଛି ତୁମର ସାଥୀ ଆଗରେ ତୁମର ଭାବନା ପ୍ରକାଶ କରିବା ।
ତେବେ ଟେଡି ଡେ’ ପଛରେ ଥିବା କାରଣ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଥିଓଡୋର ‘ଟେଡି’ ରୁଜଭେଲ୍ଟ ବୋଲି ବିଶ୍ୱାସ କରାଯାଏ । ରୁଜଭେଲ୍ଟ ଥରେ ଜଙ୍ଗଲରେ ଶିକାର କରିବାକୁ ଯାଇଥିଲେ ଯେଉଁଠାରେ ତାଙ୍କ ସହାୟକ ଭାଲୁ ଶିକାର କରିବା ପାଇଁ ରାଷ୍ଟ୍ରପତିଙ୍କୁ ଗୁଳି ଚଳାଇବାକୁ କହିଥିଲେ । ରାଷ୍ଟ୍ରପତି ଭାଲୁକୁ ଗୁଳି ମାରିବାକୁ ମନା କରିଦେଇଥିଲେ । ଏଥିରୁ ଅନୁପ୍ରାଣିତ ହୋଇ ତାଙ୍କ ସହାୟକ ତାଙ୍କୁ ଏକ ଟେଡି ଗିପ୍ଟ କରିଥିଲେ । ଯାହା ପରବର୍ତ୍ତି ସମୟରେ ଟେଡି ଡେ’ ନାମରେ ନାମିତ ହୋଇଥିଲା ।
ପ୍ରେମ ସପ୍ତାହର ଚତୁର୍ଥ ଦିନ ହେଉଛି ଟେଡି ଡେ’। ଏହି ଦିନରେ ପ୍ରେମୀ ଯୁଗଳ ସମ୍ପର୍କରେ ମଧୁରତା ଆଣିବା ଓ ସଂପର୍କର ଡୋରକୁ ଅଧିକ ମଜଭୁତ କରିବା ପାଇଁ ପରସ୍ପରକୁ କିଛିନା କିଛି ଉପହାର ଦେଇଥାନ୍ତି। ତେବେ ଟେଡି ବା କଣ୍ଢେଇ ଉପହାର ପ୍ରଦାନ ଦ୍ବାରା ସଂପର୍କରେ ଘନିଷ୍ଠତା ଆସିଥାଏ ବୋଲି ବିଶ୍ବାସ ରହିଛି। କେହି କେହି ନିଜର ପ୍ରେମିକ/ପ୍ରେମିକା ତଥା ଆତ୍ମୀୟସ୍ୱଜନଙ୍କୁ ଟେଡି ଦେଇ ସମ୍ପର୍କକୁ ଆହୁରି ମଧୁର କରିଥାନ୍ତି। ଯୁବପିଢ଼ିଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ଏଥିରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି। ଏହି ଦିନଟିକୁ କେବଳ ପ୍ରେମିକ/ପ୍ରେମିକାଙ୍କ ନୁହେଁ ବରଂ ପରିବାରର ଅନ୍ୟ ସଦସ୍ୟ ତଥା ଛୋଟ ପିଲାମାନେ ପାଳନ କରିଥାନ୍ତି।
