କାହିଁକି ପାଳିତ ହୁଏ ବଡ଼ଦିନ ! ଜାଣନ୍ତୁ କିଏ ଏହି ସାଣ୍ଟାକ୍ଲଜ ଓ ‘ଖ୍ରୀଷ୍ଟମାସ ଟ୍ରୀ’ର ପ୍ରଚଳନ କେବେଠୁ ଆରମ୍ଭ ହୋଇଥିଲା
ଖ୍ରୀଷ୍ଟମାସ୍ ବା ବଡ଼ଦିନ ଲାଗି ଆରମ୍ଭ ହୋଇଯାଇଛି କାଉଣ୍ଟ ଡାଉନ୍ । ରାତି ପାହିଲେ ବଡ଼ଦିନ । ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଏହା ଏକ ବଡ଼ ପର୍ବ ହୋଇଥିଲେ ବି ସବୁ ଧର୍ମର ଲୋକେ ଏହାକୁ ଖୁବ ଧୁମ୍ଧାମରେ ମନାଇଥାନ୍ତି । ଯୁଗ ବଦଳିବା ସାଙ୍ଗକୁ ଲୋକଙ୍କ ରୁଚିରେ ବି ପରିବର୍ତ୍ତନ ଆସିଛି । ଏବେ ବଡ଼ଦିନରେ ସମସ୍ତେ ଘରକୁ ସଜାଇବା ସହ ଖ୍ରୀଷ୍ଟମାସ୍ ଟ୍ରୀ ଟିଏ ରଖିବାକୁ ପସନ୍ଦ କରୁଛନ୍ତି ।
ପ୍ରତିବର୍ଷ ଡିସେମ୍ବର ୨୫ ତାରିଖକୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଦିବସ ରୂପେ ପାଳନ କରାଯାଏ । ଏହି ଦିନରେ ପ୍ରଭୁଙ୍କ ଆଗମନ ହୋଇଥିବା ଯୋଗୁଁ ସାରା ବିଶ୍ୱରେ ବେଶ ଧୁମଧାମରେ ଏହାକୁ ପାଳନ କରାଯାଇଥାଏ ।
ଖ୍ରୀଷ୍ଟମାସକୁ ‘ବଡଦିନ’ ଭାବେ ମଧ୍ୟ ପାଳନ କରାଯାଇଥାଏ । ଏହି ପର୍ବକୁ ଖାଲି ଯେ ବିଦେଶରେ ଧୁମଧାମରେ ପାଳନ କରାଯାଏ, ତା’ନୁହେଁ ଏହାକୁ ଭାରତରେ ମଧ୍ୟ ଖ୍ରୀଷ୍ଟଧର୍ମାବଲମ୍ବୀ ବେଶ ଆଡମ୍ବର ସହକାରେ ପାଳନ କରିଥାନ୍ତି ।
ଏପରିକି ପ୍ରେମ ଓ ସୌହାର୍ଦ୍ଦ୍ୟର ପ୍ରତୀକ ବଡଦିନରେ ଇସାଇ ଧର୍ମାବଲମ୍ବୀମାନେ ଗୀର୍ଜାଘର ଯାଇ ପ୍ରାର୍ଥନା କରିବା ସହିତ ପରସ୍ପରକୁ କେକ୍ ଓ ଗିଫ୍ଟ ଦେଇ ଉତ୍ସବ ମନାଇଥାନ୍ତି ।
କାହିଁକି ପାଳନ କରାଯାଏ ଖ୍ରୀଷ୍ଟମାସ :
ଖ୍ରୀଷ୍ଟମାସ ତଥା ପବିତ୍ର ବଡଦିନରେ ଯୀଶୁଖ୍ରୀଷ୍ଟଙ୍କ ଧରାବତରଣ ଖୁସିରେ ଖ୍ରୀଷ୍ଟଧର୍ମାବଲମ୍ବୀ ମାନେ ଏହି ଦିନକୁ ବଡ ଧୂମଧାମରେ ପାଳନ କରିଥାନ୍ତି । ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ଅନୁଯାୟୀ ଇଶ୍ୱରଙ୍କ ସନ୍ତାନ ରୂପେ ଜଗତର କଲ୍ୟାଣ ପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମଗ୍ରହଣ କରିଥିଲେ । ବେଥଲହାମ୍ ଠାରେ ମାତା ମେରିୟମ୍ ଓ ୟୁସୁଫଙ୍କ କୋଳମଣ୍ଡନ କରିଥିଲେ ପ୍ରଭୁ ।
ଲୋକକଥାନୁଯାୟୀ, ଦିନେ ଭବିଷ୍ୟବାଣୀ ହୋଇଥିଲା ମାତା ମେରିୟମ୍ କେଳାରୁ ଯେଉଁ ଶିଶୁ ଜନ୍ମଲାଭ କରିବ, ସେ ଦୁନିଆରୁ ସମସ୍ତ କଷ୍ଟ ଦୂରୀଭତ କରିବ ।
ପବିତ୍ର ଗ୍ରନ୍ଥ ବାଇବେଲରେ ପ୍ରଭୁଙ୍କ ଜନ୍ମଦିନକୁ ନେଇ ସଠିକ୍ ତାରିଖ ଉଲ୍ଲେଖ ନଥିଲେ ମଧ୍ୟ ଏହି ଦିନକୁ ସାରା ବିଶ୍ୱରେ ପ୍ରଭୁଙ୍କ ଜନ୍ମଦିନ ଭାବେ ପାଳନ କରାଯାଇଥାଏ । କୁହାଯାଏ ଯେ ୩୩୬ ଇ.ପୂର୍ବ ରେ ରୋମର ପ୍ରଥମ ଇସାଇ ସମ୍ରାଟ ଡିସେମ୍ବର ୨୫ ତାରିଖରେ ଖ୍ରୀଷ୍ଟମାସ ପାଳନ କରିଥିଲେ ଏବଂ ଏହାର କିଛି ବର୍ଷପରେ ପୋପ ଜୁଲିୟସ ଡିସେମ୍ବର ୨୫ ତାରିଖରେ ଯୀଶୁଙ୍କ ଜନ୍ମଦିନ ପାଳନ ପାଇଁ ବିଧିବିଦ୍ଧ ଭାବେ ଘୋଷଣା କରିଥିଲେ ।
କିଏ ଏହି ସାଣ୍ଟାକ୍ଲଜ :
ସାଣ୍ଟାକ୍ଲଜ ବିଷୟରେ ଅନେକ ଲୋକକଥା ରହିଛି । ଖ୍ରୀଷ୍ଟଧର୍ମାବଲମ୍ବୀ ମାନଙ୍କ ମତରେ ସନ୍ଥ ନିକୋଲାସଙ୍କୁ ହିଁ ସାଣ୍ଟାକ୍ଲଜ ଭାବେ ବର୍ଣ୍ଣିତ କରାଯାଇଛି ।
‘ଖ୍ରୀଷ୍ଟମାସ ଟ୍ରୀ’ର ପ୍ରଚଳନ କେବେଠୁ :
ହଜାର ବର୍ଷ ପୂର୍ବେ ୟୁରୋପରେ ଖ୍ରୀଷ୍ଟମାସ ଟ୍ରୀର ପ୍ରଚଳନ ଆରମ୍ଭ ହୋଇଥିଲା । ଏହି ଖ୍ରୀଷ୍ଟମାସ ଟ୍ରୀ ପାଇଁ ଉଦ୍ଦିଷ୍ଟ ଏକ ଗଛକୁ ଭଲଭାବେ ସୁସଜ୍ଜିତ କରି ପର୍ବ ପାଳନ କରାଯାଇଥାଏ । ପରେ ପରେ ଚେରୀ ଗଛର ଡାଳକୁ କାଟି ଖ୍ରୀଷ୍ଟମାସ ଟ୍ରୀ ଭାବେ ସଜାଇ ବ୍ୟବହାର କରାଯାଏ । ଏହି ଖ୍ରୀଷ୍ଟମାସ ଟ୍ରୀରେ ରଙ୍ଗୀନ ଆଲୋକମାଳାରେ ଏବଂ ଛୋଟ ଛୋଟ ସୁନ୍ଦର ଉପହାରରେ ସଜା ଯାଇଥାଏ ।
