ବିଘ୍ନହର୍ତ୍ତା ଗଣେଶଙ୍କ କାହିଁକି ହାତୀ ମୁଣ୍ଡ, ବଡ଼କାନ ଓ ଏକଦନ୍ତ ? ଜାଣନ୍ତୁ କିଛି ରୋଚକ ତଥ୍ୟ
ପାଖେଇ ଆସୁଛି ଗଣେଶ ପୂଜା ! ଗଣେଶଙ୍କୁ କୁହାଯାଏ ଅଗ୍ରପୂଜ୍ୟ । ଯେଉଁ ପୂଜା ହେଉ ପ୍ରଥମେ ଗଣପତିଙ୍କୁ ହିଁ ପୂଜା କରିବା ପରେ ଅନ୍ୟମାନଙ୍କ ପୂଜା କରାଯାଏ । ତାଙ୍କୁ ବିଘ୍ନ ବିନାଶକ ବୋଲି ମଧ୍ୟକୁହାଯାଏ । କାରଣ ଗଣେଶ ସବୁ ବିଘ୍ନ ଦୂରେଇ ଦେଇଥାନ୍ତି ।
ଦେଶର ବିଭିନ୍ନ ସହରରେ ଏବେ ଗଣେଶୋତ୍ସବ ପାଇଁ ଏବେ ପ୍ରସ୍ତୁତି ଜୋରଦାର ଚାଲିଛି। ଉତ୍ସବ ବେଳେ ବିଭିନ୍ନ ପୂଜା ମଣ୍ଡପରେ ବପ୍ପାଙ୍କୁ ଭିନ୍ନଭିନ୍ନ ରୂପରେ ସଜାଇ ଲୋକେ ପୂଜାର୍ଚ୍ଚନା କରନ୍ତି। ଚଳିତ ବର୍ଷ ବି ସେଇଆ ହେବ। ଏଥିଲାଗି ଆକର୍ଷକ ତୋରଣ ଓ ମଣ୍ଡପ ପ୍ରସ୍ତୁତି ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିସାରିଲାଣି।
ତେବେ ଜାଣିଛନ୍ତି କି ବିଘ୍ନହର୍ତ୍ତା ଗଣେଶ କେମିତି ଜନ୍ମ ହେଲେ ? ତାଙ୍କର ମୁଣ୍ଡ କାହିଁକି ହାତୀ ପରି ଓ କଣ କାହିଁକି ବଡ଼ ? ସବୁଠୁ ବଡ଼ କଥା ହେଲା ଗଣେଶ ମହାଭାରତ ମଧ୍ୟ ଲେଖିଥିଲେ ବୋଲି ବିଶ୍ୱାସ ରହିଛି ? ସେହିପରି ତାଙ୍କୁ ଏକଦନ୍ତ କାହଁକି କୁହାଯାଏ ?
ଆସନ୍ତୁ ଜାଣିବା ବିଘ୍ନହର୍ତ୍ତା ଗଣେଶଙ୍କ ସମ୍ପର୍କରେ କିଛି ରୋଚକ ତଥ୍ୟ
କେମିତି ଜନ୍ମ ହେଲେ ଗଣେଶ
ମାତା ପାର୍ବତୀ ଗାଧୋଇବା ପାଇଁ ଥରେ ହଳଦୀ ଲଗାଇ ଦେହରୁ ମଳି ଛଢାଉଥିଲେ । ଦେହରୁ ମଳି ବାହାରିବା ପରେ ସେ ଏକ ପିତୁଳା ତିଆରି କରିଥିଲେ । ତାଙ୍କୁ ତାହା ଏତେ ସୁନ୍ଦର ଲାଗିଥିଲା ଯେ ସେ ସେଥିରେ ଜୀବନ୍ୟାସ କରିଥିଲେ । ଆଉ ତା ନାଁ ଦେଇଥିଲେ ଗଣେଶ ।
ହାତୀ ମୁଣ୍ଡ :
ଗଣେଶଙ୍କ ଜନ୍ମ ସମ୍ପର୍କରେ ଅଜ୍ଞ ଥିଲେ କୈଳାଶ ପର୍ବତରୁ ଦୂରରେ ଥିବା ଦେବ ଦେବ ମହାଦେବ । ଦିନେ ମାତା ପାର୍ବତୀ ସ୍ନାନ କରିବାକୁ ଗଲେ । ଦୁଆର ମୁହଁରେ ପୁଅ ଗଣେଶଙ୍କୁ ଜଗାଇଦେଇ ଗଲେ । ଏହି ସମୟରେ ଶିବ ଆସିଲେ । ସେ ଭିତରକୁ ଯିବାକୁ ବାହାରିବାରୁ ଗଣେଶ ତାଙ୍କୁ ଅଟକାଇଥିଲେ । ଗଣେଶ କି ଶିବ କେହି କାହାରିକୁ ଚିହ୍ନି ନ ଥିଲେ । ଗଣେଶ ଭିତରକୁ ଜମା ଛାଡିବେନି ବୋଲି ଜିଦ୍ ଧରି ବସିବାରୁ ରାଗି ଯାଇଥିଲେ ତାଙ୍କ ବେକ ଛେଦନ କରିଥିଲେ ଶିବ । ପାର୍ବତୀ ଆସି ସବୁ କଥା କହିବା ପରେ ଗଣେଶଙ୍କ ପାଇଁ ଏକ ମୁଣ୍ଡ ଖୋଜା ଯାଇଥିଲା । ଶେଷରେ ଏକ ହାତୀର ମୁଣ୍ଡକୁ ତାଙ୍କ ଶରୀରରେ ଲଗାଯାଇଥିଲା ।
ବଡ କାନ :
ଗଣେଶଙ୍କର ହାତୀ ମୁଣ୍ଡ ଲାଗିଥିବାରୁ ତାଙ୍କ କାନ ହାତୀ ପରି କୁଲା ଆକାରର କାନ । ବିଶ୍ୱାସ ରହିଛି ବଡ ବଡ କାନରେ ଗଣେଶ ସମସ୍ତଙ୍କର ଦୁଃଖ ଶୁଣନ୍ତି । କୁଲା ଯେପରି ପାଛୁଡିଲା ବେଳେ ଭଲ ଜିନିଷ ରଖି ଅଳିଆ ସଫା ରକରିଦିଏ । ସେହିପରି ବିଘ୍ନରାଜଙ୍କ ଏହି କାନ ଭଲ କଥା ଶୁଣିଥାଏ । ଦରକାର ନ ଥିବା କଥା ବାହାର କରିଦିଏ ।
ଲେଖିଥିଲେ ମହାଭାରତ :
ବିଶ୍ୱାସ ରହିଛି ଯେ ଗଣେଶ ହିଁ ମହାଭାରତ ଲେଖିଥିଲେ । ମହର୍ଷି ବ୍ୟାସ ଯେତେବେଳେ ମହାଭାରତ ରଚନା ପାଇଁ ଯୋଜନା କଲେ ସେତେବେଳେ ତାଙ୍କୁ ଏମିତି ଜଣେ ଦରକାର ଥିଲା ଯିିଏ ମହାଭାରତ ଡାକିବା ବେଳେ ଏହାକୁ ବୁଝି ଲେଖି ପାରିବ । ଏଥି ପାଇଁ ସେ ଗଣେଶଙ୍କୁ ଚୟନ କରିଥିଲେ । ଏପରି କ୍ରମେ ଗଣେଶ ଏହାକୁ ଲେଖିଥିଲେ ।
ଏକଦନ୍ତ :
ମହାଭାରତ ଲେଖିବା ବେଳେ ବ୍ୟାସଙ୍କର ଆଦେଶ ଥିଲା ଯେ ସେ ମହାଭାରତ ଡାକିଲା ବେଳେ ଗଣେଶ ମଝିରେ କୌଣସି ପ୍ରଶ୍ନ ପଚାରିବେ ନାହିଁ । ତେବେ ମହାଭାରତ ଲେଖିବା ବେଳେ ଗଣେଶଙ୍କ ଲେଖନୀଟି ଭାଙ୍ଗିଯାଇଥିଲା । କିନ୍ତୁ ମଝିରେ ବ୍ୟାସଙ୍କୁ କୌଣସି କଥା ନ ପଚାରିବାକୁ ଆଦେଶ ଥିବାରୁ ସେ ନିଜ ଦନ୍ତ ଭାଙ୍ଗି ଅବଶିଷ୍ଟ ଭାଗକୁ ଲେଖିଥିଲେ ବୋଲି କୁହାଯାଏ । ସେହିଦିନଠୁ ଗଣେଶ ଏକଦନ୍ତ ବୋଲି ଆଉ ଏକ ପରିଚୟ ପାଇଥିଲେ ।
